ତିନିଦିନ ଗାଁ ଅନ୍ଧାର, ବିଦ୍ୟୁତ କର୍ମଚାରୀ ଅଟକ

ନୟାଗଡ଼: ତିନିଦିନ ହେବ ଗାଁରେ ବିଦ୍ୟୁତ ନଥିଲା । ବାରମ୍ବାର ଟୋଲ୍ ଫ୍ରି ନମ୍ବରକୁ କଲ କରିବା ସହ ଜେଇଙ୍କୁ ଜଣାଇଲେ ଗ୍ରାମବାସୀ । ହେଲେ ସମସ୍ୟାର ସମାଧାନ ବଦଳରେ ଗ୍ରାମବାସୀଙ୍କ ଦୁର୍ବ୍ୟବହାର କରିଥିଲେ । ଆଜି ବିଦ୍ୟୁତ୍ ବିଭାଗ ସୁପର ଭାଇଜର ଗାଁକୁ ଆସିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ରଖିଲେ ଅଟକ ।

ଏମିତି ଘଟଣା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସେନ୍ତେରୀ ଗାଁରେ ଘଟିଛି । ତିନିଦିନ ହେବ ଗାଁରେ ବିଦ୍ୟୁତ୍ ନାହିଁ । ବାରମ୍ବାର ଜଣାଇବା ପରେ ବି ବିଦ୍ୟୁତ ସରବରାହ ସୂଚାରୁ କରାଗଲାନି । ଏପରିକି ଅଭିଯୋଗ କରିବାରୁ ବିଭାଗୀୟ କର୍ମଚାରୀ ଗ୍ରାମବାସୀଙ୍କ ଦୁର୍ବ୍ୟବହାର କରିବାକୁ ବି ପଛାଇଲେନି । ଆଜି ବିଦ୍ୟୁତ୍ ବିଭାଗ ସୁପରଭାଇଜର କୌଣସି କାମ ପାଇଁ ସେନ୍ତେରୀ ଗାଁକୁ ଆସିଥିଲେ । ଏହି ସମୟରେ ଉତ୍ତ୍ୟକ୍ତ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ କର୍ମଚାରୀ ଓ ଗାଡିକୁ ଅଟକ ରଖିଥିଲେ ।

ବିଦ୍ୟୁତ୍ ସରବରାହ ଠିକ ନହେବା ପର୍ଯ୍ୟନ୍ତ କର୍ମଚାରୀ ଓ ଗାଡିକୁ ଛଡ଼ାଯିବ ନାହିଁ ବୋଲି ଜିଦରେ ଅଟଳ ରହିଥିଲେ ଗ୍ରାମବାସୀ । ଦୀର୍ଘ ସମୟ ଅଟକ ରହିବା ପରେ ଶେଷରେ ଗାଁରେ ବିଦ୍ୟୁତ୍ ସରବରାହ ଠିକ୍ କରାଯାଇଥିଲା । ଏହା ପରେ ଏମିତି ସମସ୍ୟା ପୁଣି ହେବ ନାହିଁ ବୋଲି ସୁପରଭାଇଜର ପ୍ରତିଶ୍ରୁତି ଦେବା ପରେ ସ୍ଥିତି ଶାନ୍ତ ପଡିଥିଲା ଓ ତାଙ୍କୁ ଛାଡି ଦିଆଯାଇଥିଲା ।