ବଦଳୁଛି ଗାଁର ଚିତ୍ର: ଗାଁରେ ଲୋକେ ପାଉଛନ୍ତି ସହରୀ ସୁବିଧା
ଯାଜପୁର: ବଦଳୁଛି ଗାଁର ଚିତ୍ର । ଗାଁ ଲୋକ ପାଉଛନ୍ତି ସହରି ସୁବିଧା । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ହରିପୁର ପଞ୍ଚାୟତରେ ଲୋକଙ୍କ ମନ ମୋହୁଛି ଗ୍ରାମୀଣ ଉଦ୍ୟାନ । ସରପଞ୍ଚଙ୍କ ଉଦ୍ୟମ ଓ ସରକାରୀ ଯୋଜନା ସହାୟତାରେ ସାକାର ହୋଇଛି ଜନସାଧାରଣଙ୍କ ସ୍ୱପ୍ନ । ଗାଁରେ ପାର୍କର ମଜା ପାଇ ଖୁସି ପ୍ରକାଶ କରିଛନ୍ତି ଅଞ୍ଚଳବାସୀ ।
ଭଳିକିଭଳି ଫୁଲ ଆଉ ଆଖି ଝଲସିଲା ପରି ନିର୍ମାଣ । ତା’ ସାଙ୍ଗକୁ ଛୋଟ ପିଲାଙ୍କ ପାଇଁ ନାନା ସାମଗ୍ରୀ । ଅବସର ସମୟର ଉପଯୋଗ ହେଉଛି ଆଉ ଭରପୁର ମନୋରଞ୍ଜନ ବି ମିଳୁଛି । ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁସି ପରସୁଛି ଏହି ଗ୍ରାମୀଣ ଉଦ୍ୟାନ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ହରିପୁର ପଞ୍ଚାୟତବାସୀଙ୍କର ମନ ମୋହୁଛି ଗ୍ରାମୀଣ ଉଦ୍ୟାନ । ବିଜୁ ଗ୍ରାମୀଣ ଉଦ୍ୟାନ ଯୋଜନାରେ ସାକାର ହୋଇପାରିଛି ଲୋକଙ୍କ ସ୍ୱପ୍ନ । ପ୍ରାକୃତିକ ପରିବେଶରେ ଆଧୁନିକ କଳାକୌଶଳର ଉପଯୋଗରେ ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି ଲୋକେ ।
ମନରେଗା ଯୋଜନାରେ ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି । ପାର୍କରେ ପ୍ରାକୃତିକ ପରିବେଶର ଶୋଭାକୁ ଦ୍ୱିଗୁଣିତ କରୁଛି ଆଲୋକୀକରଣର ବ୍ୟବସ୍ଥା । ଏଠାରେ ଯୋଗ, ବ୍ୟାୟାମ ଓ ପିଲାମାନଙ୍କ ଖେଳିବା ପାଇଁ ବିଭିନ୍ନ ସାମଗ୍ରୀର ବ୍ୟବସ୍ଥା କରାଯାଇଛି । ଫଳରେ ସକାଳ ସଞ୍ଜରେ ଉଦ୍ୟାନରେ ଲୋକଙ୍କର ଭିଡ ଜମୁଛି । ଲୋକଙ୍କ ସୁବିଧା ପାଇଁ ପାନୀୟ ଜଳ ଓ ଶୌଚାଳୟର ନିର୍ମାଣ କରାଯାଇଛି । ଗାଁ ମାଟିରେ ସହରି ସୁବିଧା ପାଇ ଖୁସି ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ପଞ୍ଚାୟତର ଏଭଳି ନିଆରା ନିର୍ମାଣକୁ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ମଧ୍ୟ ପ୍ରଶଂସା କରିଛନ୍ତି ।
ଆଗାମୀ ଦିନରେ ଆହୁରି ଆକର୍ଷଣୀୟ ହେବ ଉଦ୍ୟାନ । ବୋଟିଂର ମଜା ଉଠାଇବେ ସ୍ଥାନୀୟ ଲୋକେ । ଏହା ସହିତ ଲୋକଙ୍କ ମନୋଞ୍ଜନ ପାଇଁ କେତେକ ନିଆରା ପନ୍ଥା ଆପଣାଇବାକୁ ପଞ୍ଚାୟତ ତରଫରୁ ଯୋଜନା କରାଯାଉଛି ।