ଗାଁ ମୁଖିଆଙ୍କୁ ଇଂଜେକସନ ଦେଇ ମାରିଦେଲେ

ଅନୁଗୁଳ: ଚାଞ୍ଚଲ୍ୟ ଖେଳିଛି ସମଗ୍ର ଜିଲ୍ଲାରେ। ଗାଁ ସଭାପତିଙ୍କୁ ଭିନ୍ନ ଉପାୟରେ ହତ୍ୟା । ଜିଲ୍ଲା ସଦର ଥାନା ଆମ୍ବପାଳ ଗାଁର ସଭାପତି ଶୋଇଥିବା ବେଳେ ଇଂଜେକସନ ଦେଇ ତାଙ୍କୁ ହତ୍ୟା କରାଯାଇଛି । ଗାଁର ସଭାପତି ବାଳକୃଷ୍ଣ ନାୟକ ନିଜ ଘର ଠାରୁ କିଛି ଦୂରରେ ଥିବା କୁକୁଡ଼ା ଫାର୍ମରେ ଶୋଇଥିଲେ । ବିଳମ୍ବିତ ରାତିରେ କିଛି ଦୁବୁର୍ତ୍ତ ବାଳକୃଷ୍ଣଙ୍କ ଶରୀରରେ ଇଞ୍ଜେକ୍ସନ ଫୋଡ଼ି ପଳାଇଯାଇଥିଲେ ।

ବିଷ ଜ୍ବାଳାରେ ଛଟପଟ ହୋଇ ବାଳକୃଷ୍ଣ ଘରକୁ ଦୌଡ଼ି ଆସି ବାନ୍ତି କରିଥିଲେ । ଅଚେତ୍ ଅବସ୍ଥାରେ ପରିବାର ଲୋକ ତାଙ୍କୁ ପ୍ରଥମେ ଅନୁଗୋଳ ଡାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ପଠାଇ ସ୍ଥାନାନ୍ତର କରିଥିଲେ । ହେଲେ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ପରିବାର ପକ୍ଷରୁ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ।

ଗାଁ ସଭାପତିଙ୍କ ସହ କାହାର ଶତ୍ରୁତା ରହିଥିଲା । ଏହାର କାରଣ ଖୋଜୁଛି ପୋଲିସ । ବାଳକୃଷ୍ଣ ଶୋଇଥିବା ଫାର୍ମରୁ ଏକ ହାତ ଲେଖା ବେନାମୀ ଚିଠି ଜବତ କରିଛି ପୋଲିସ । ଯାହାକି ଏହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ କରୁଛି । ଅନୁଗୁଳ ସଦର ଥାନା ପୋଲିସ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଗାଁ ଲୋକ ଓ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ ।

ମିଳିଥିବା ଚିଠିରେ କିଛି ଏମିତି ଲେଖାଯାଇଛି । ସଭାପତି ମହୋଦୟ , ଗାଁ ପାଇଁ ସହିଦ ହୋଇଯାଅ । ମନା କଲି ମୋ ପଛରେ ଲାଗନା । ଜାନୁଆରୀ ୨୫ ତାରିଖ ଥିଲା । ଆଜି ପୁରଣ ହେଲା ବୋଲି ଚିଠିରେ ଲେଖାଯାଇଛି । ଏହି ଚିଠି ମିଳିବା ପରେ ହତ୍ୟାକାଣ୍ଡ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଅନୁମାନ କରିଛି ପୋଲିସ । ପୂର୍ବ ରାଗ ରଖି ବାଳକୃଷ୍ଣଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡ ସ୍ଥାନରୁ ଦୁଇଟି ସିରିଞ୍ଜ, ଖାଲି ମଦ ବୋତଲ ମଧ୍ୟ ମିଳିଛି ।