ବୋରଓ୍ବେଲରୁ ଉଦ୍ଧାର ବିଜୟିନୀର ବାପା ମାଆ ଠାବ, ମାଆଙ୍କ ମାନସିକ ଅବସ୍ଥା ନାହିଁ ଠିକ୍

ସମ୍ବଲପୁର: ବୋରଓ୍ବେଲରୁ ଉଦ୍ଧାର ଶିଶୁକନ୍ୟା ବିଜୟିନୀର ବାପା ମାଆଙ୍କୁ ଠାବ କଲା ପୋଲିସ। ମାଆଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଦିନେ ଦୁଇ ଦିନ ଭିତରେ ସେ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହେବେ । ଏହାପରେ ତାଙ୍କୁ ପୋଲିସ ପଚରାଉଚରା କରିବ। ବିଜୟିନୀ ତାଙ୍କ ଝିଅ ବୋଲି ସେ ମାନିଛନ୍ତି । ବାପା, ମାଆ ସ୍ଥାନୀୟ ଅଞ୍ଚଳର ଓ ଶ୍ରମିକ ଶ୍ରେଣୀର ବୋଲି ସମ୍ବଲପୁର ଏସପି ମୁକେଶ ଭାମୁ କହିଛନ୍ତି।

ବିଜୟିନୀ ତାଙ୍କର ଦ୍ବିତୀୟ ସନ୍ତାନ। ଏବେ ଭୀମସାରରେ ସେ ଚିକିତ୍ସାଧୀନ ରହିଛି । ଗତକାଲି ତାର ଏକୋଇଶିଆ ପାଳନ କରିବା ସହ ନାମକରଣ କରାଯାଇଥିଲା। ତଦନ୍ତ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ପ୍ରଶ୍ନ ଉଠୁଛି, ବିଜୟିନୀକୁ ଉଦ୍ଧାର କରିବା ପରଠୁ କେଉଁଠି ଥିଲେ ବାପା ମାଆ? କାହିଁକି ଶିଶୁ କନ୍ୟା ସେମାନଙ୍କର ବୋଲି କହୁନଥିଲେ? ମାଆଙ୍କ ମାନସିକ ସ୍ଥିତି ଯଦି ଠିକ୍ ନଥିଲା, କାହିଁକି ଚୁପ୍ ଥିଲେ ବାପା? ଗଣମାଧ୍ୟମରେ ବାରମ୍ବାର ଖବର ପରିବେଷଣ ପରେ ବି ନିରବ ଥିଲେ କାହିଁକି? ବୋରଓ୍ବେଲରେ ଶିଶୁକନ୍ୟାକୁ କିଏ ପକାଇଥିଲେ? କେମିତି ପରିବାର ଲୋକେ ଜାଣି ପାରିଲେନି? ନା ଜାଣିଶୁଣି ମାରିଦେବାକୁ ବୋରଓ୍ବେଲରେ ପକାଇଥିଲେ? ଏ ସବୁ ପ୍ରଶ୍ନ ପଚାରିବ ପୋଲିସ୍ ।

ଗତ ଡିସେମ୍ବର ୧୨ ତାରିଖରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ ନବଜାତ ଶିଶୁ ପଡ଼ିଥିବା ଜଣାପଡ଼ିଥିଲା । ଜଙ୍ଗଲ ରାସ୍ତା ଦେଇ ଯାଉଥିବା କିଛି ଲୋକ ପ୍ରଥମେ କଅଁଳ ଶିଶୁର କାନ୍ଦିବା ଶୁଣି ବୋରଓ୍ବେଲ ପାଖକୁ ଯାଇଥିଲେ । ବୋରଓ୍ବେଲ ଭିତରୁ ନବଜାତ ଶିଶୁର କାନ୍ଦିବା ଶବ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଦମକଳବାହିନୀ ଓ ବ୍ଲକ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଆରମ୍ଭ କରିଥିଲେ । ଏହାସହ ଓଡ୍ରାଫ ଟିମ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ଭିକ୍ଟିମ ଲୋକେସନ କ୍ୟାମେରା ପଠାଇଥିଲେ ରାଜ୍ୟ ସରକାର । କ୍ୟାମେରା ପହଞ୍ଚିବା ପରେ ଶିଶୁର ସଠିକ ଲୋକେସନ ଜଣାପଡ଼ିଥିଲା । ଏହାପରେ ଉଦ୍ଧାରକାରୀ ଦଳ ଶିଶୁଟିକୁ ଉଦ୍ଧାର କରିଥିଲେ । ଶିଶୁଟି ପ୍ରାୟ ୧୫ ଫୁଟ୍ ତଳେ ବୋରଓ୍ବେଲ ଭିତରେ ପଡ଼ିଥିଲା ।

କେହି ଜାଣିଶୁଣି ଶିଶୁଟିକୁ ବୋରଓ୍ବେଲରେ ଫିଙ୍ଗି ମରିବାକୁ ଛାଡ଼ି ଦେଇ ଯାଇଥିଲା । ହେଲେ ଯାହା ଉପରେ ଭଗବାନଙ୍କ କୃପା ଅଛି ତାହାର କିଏ ବା କ’ଣ କରିପାରିବ । ଦୀର୍ଘ ୮ ଘଣ୍ଟା ବୋରଓ୍ବେଲରେ ଫସି ରହିବା ପରେ ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇଥିଲା ।