ମାତ୍ର ୧୩ ଦିନରେ ଭାଙ୍ଗି ପଡିଥିଲା ପାକିସ୍ତାନ, ଆଜାଦ୍ ଦେଶ ହୋଇଥିଲା ବାଂଲାଦେଶ

1 min read

ନୂଆଦିଲ୍ଲୀ: ପ୍ରତିବର୍ଷ ଡିସେମ୍ବର୧୬ ତାରିଖରେ ବିଜୟ ଦିବସ ପାଳନ କରାଯାଇଥାଏ । ୧୯୭୧ ମସିହା ଆଜିର ଦିନରେ ଭାରତ ଆଗରେ ହାର ମାନିଥିଲା ପାକିସ୍ତାନ । ଆଉ ଭାରତୀୟ ସେନାବାହିନୀର ଏହି ବିଜୟକୁ ମନେ ପକାଇବା ପାଇଁ ପ୍ରତିବର୍ଷ ପାଳିତ ହେଉଛି ‘ବିଜୟ ଦିବସ’ ।

୧୯୭୧ ମସିହା ଭାରତ-ପାକ୍ ଯୁଦ୍ଧ ପରେ ପାକିସ୍ତାନ ଠାରୁ ଅଲଗା ହୋଇ ଜନ୍ମ ନେଇଥିଲା ବାଂଲାଦେଶ । ଏହି ଅବସରରେ ଆସନ୍ତୁ ଜାଣିବା ସେହି ଯୁଦ୍ଧ ସମ୍ପର୍କରେ କିଛି- 

୧୯୭୧ ମସିହାରେ ହୋଇଥିବା ଭାରତ-ପାକ୍ ଯୁଦ୍ଧ ପ୍ରାୟ ୧୩ ଦିନ ଧରି ଚାଲିଥିଲା ​​ବେଳେ ଡିସେମ୍ବର ୧୬ରେ ଶେଷ ହୋଇଥିଲା। ପାକିସ୍ତାନର ଆର୍ମି ଜେନେରାଲ ଅମୀର ଅବଦୁଲ୍ଲା ଖାନ୍ ନିଆଜୀ ତାଙ୍କର ୯୩,୦୦୦ ପାକିସ୍ତାନୀ ସେନା ସହିତ ଭାରତୀୟ ସେନା ଓ ମୁକ୍ତି ବାହିନୀ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ। ବାଂଲାଦେଶ ମଧ୍ୟ ଏହି ଦିନକୁ ସ୍ୱାଧୀନତା ଦିବସ ତଥା ବିଜୟ ଦିବସ ଭାବେ ପାଳନ କରିଥାଏ ।

ଏହି ଦିନ ଦେଶବାସୀ ଭାରତ ଏବଂ ବାଂଲାଦେଶର ବୀର ଯବାନଙ୍କୁ ମନେପକାଇବା ସହ ଓ ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାନ୍ତି।

ତତ୍କାଳୀନ ପୂର୍ବ ପାକିସ୍ତାନର ଲୋକଙ୍କ ପ୍ରତି ଅସଦାଚରଣ ଓ ଦୁର୍ବ୍ୟବହାରର ପ୍ରତିବାଦରେ ବାଂଲାଦେଶର ମୁକ୍ତି ସଂଗ୍ରାମ ଦ୍ୱାରା ମୁକ୍ତି ଯୁଦ୍ଧ ପାଇଁ ସଂଘର୍ଷ ଆରମ୍ଭ ହୋଇଥିଲା । ଯାହାକୁ ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବାଂଲାଦେଶର ମୁକ୍ତି ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଥିଲେ।

‘ସ୍ୱର୍ଣ୍ଣିମ ବିଜୟ ବର୍ଷ’-

ଏହି ବର୍ଷ ପାକିସ୍ତାନ ଉପରେ ଭାରତର ବିଜୟକୁ ୫୦ ବର୍ଷ ହେବାକୁ ଯାଉଛି । ନୂଆଦିଲ୍ଲୀର ନେସନାଲ୍ ଓ୍ୱାର୍ ମେମୋରିଆଲରେ ‘ସ୍ୱର୍ଣ୍ଣିମ ବିଜୟ ବର୍ଷ’ କାର୍ଯ୍ୟକ୍ରମ ଆୟୋଜିତ ହେବ। ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯବାନଙ୍କ ସ୍ମୃତିରେ ମଶାଲ୍ ପ୍ରଜ୍ୱଳନ କରିବେ । ଏହାସହ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ , ପ୍ରତିରକ୍ଷା ମୁଖ୍ୟ ବିପିନ ରାୱତ ପ୍ରମୁଖ ଉପସ୍ଥିତ ରହିବେ ।

Leave a Reply