ପଦମପୁର ଉପନିର୍ବାଚନ: ଗାଁ ଗାଁ ବୁଲି ଭୋଟ ମାଗୁଛନ୍ତି ବର୍ଷା

ପଦମପୁର: ଜମୁଛି ପଦମପୁର ଉପନିର୍ବାଚନ ପ୍ରଚାର । ମହିଳାଙ୍କୁ ସାଥୀରେ ନେଇ ପଦମପୁରର ବିଭିନ୍ନ ଅଞ୍ଚଳରେ ପ୍ରଚାର କରୁଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ୨ ନମ୍ବର ଜୋନରେ ଥିବା ୮ଟି ପଞ୍ଚାୟତରେ ସଭା କରି କ୍ୟାମ୍ପେନିଂ କରୁଛନ୍ତି ବର୍ଷା । ଖୁଜେନରେ ଆୟୋଜିତ  ସଭାରେ ସମସ୍ତଙ୍କ ଆଶୀର୍ବାଦ ଲୋଡି ବର୍ଷା ଆଜି ପ୍ରଚାର ଆରମ୍ଭ କରିଛନ୍ତି ।

ବରିହାପାଲି, ଡଙ୍ଗାଘାଟ ଓ ଜମିଆ ସମେତ ୮ଟି ପଞ୍ଚାୟତରେ ଆଜି ବିଜେଡିର ପ୍ରଚାର ଚାଲିଛି । ପ୍ରଚାରରେ ମଙ୍ଗ ଧରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା । ଏହା ସହିତ ମଇଦାନରେ ଅଛନ୍ତି ସଂଗ୍ରାମ ପାଇକରାୟ, ରୁଦ୍ର ମହାରଥୀ, ରୋମାଞ୍ଚ ରଞ୍ଜନ ବିଶାଳ, ପ୍ରଦୀପ ମାଝୀ, ଶିଶିର ପରିଜା, ବିଜୟ ନାୟକ, ସ୍ବରୂପ ଦାଶ ଓ ଦେବାଶିଷ ଆଚାର୍ଯ୍ୟଙ୍କ ସମେତ ଅନେକ ନେତା ଓ କର୍ମୀ ।

ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି ବିଜେଡି ନେତା ଓ କର୍ମୀ । ବାଇକ ରାଲି ସହ ଖୋଲା ଗାଡ଼ିରେ ବୁଲି ସମର୍ଥନ ସାଉଁଟୁଛନ୍ତି ବର୍ଷା । ବାପାଙ୍କୁ ଯେମିତି ଆପଣମାନେ ସମର୍ଥନ କରିଥିଲେ, ଠିକ ସେମିତି ମୋତେ ମଧ୍ୟ ଆପଣଙ୍କ ସେବା କରିବା ପାଇଁ ସୁଯୋଗ ଦିଅନ୍ତୁ ବୋଲି କହୁଛନ୍ତି ବର୍ଷା । ଅନ୍ୟପଟେ ବିଜେପି ଓ କଂଗ୍ରେସ ମଧ୍ୟ ସମର୍ଥକଙ୍କୁ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି ।