ନିମାପଡ଼ାର ବିକାଶ ସପକ୍ଷରେ ଭୋଟର; ପ୍ରଚାରକୁ ଜୋରଦାର କରିଛନ୍ତି ତିନି ଦଳର ପ୍ରାର୍ଥୀ

1 min read

ନିମାପଡ଼ା: ପ୍ରଚାରରେ କମ୍ପୁଛି ପରିବେଶ । ନିମାପଡ଼ା ରାଜନୀତି ସରଗରମ । ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଶେଷ ପର୍ଯ୍ଯାୟରେ ଜୁନ୍ ୧ ତାରିଖରେ ହେବାକୁ ଯାଉଛି ଭୋଟ ଗ୍ରହଣ । ଏଠାରେ ବିଜେଡିର ଦବଦବା ରହିଛି । ଚଳିତ ନିର୍ବାଚନରେ ବିକାଶକୁ ଭୋଟର ଫୋକସ୍ କରିଛନ୍ତି ।

ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ଟି ୱାର୍ଡ, ନିମାପଡ଼ା ବ୍ଲକର ୩୨ଟି ପଞ୍ଚାୟତ ଓ ଗୋପ୍ ବ୍ଲକର ୧୪ଟି ପଞ୍ଚାୟତକୁ ନେଇ ନିମାପଡ଼ା ନିର୍ବାଚନ ମଣ୍ଡଳୀ ଗଠିତ । ଏଠାରେ ମୋଟ୍ ୨ ଲକ୍ଷ ୪୬ ହଜାର ୭୧୮ ଜଣ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୨୬ ହଜାର ୩୧୦ ପୁରୁଷ ଭୋଟର ଓ ୧ ଲକ୍ଷ ୨୦ ହଜାର ୪୦୮ ଜଣ ମହିଳା ଭୋଟର ଅଛନ୍ତି । ମତଦାନ ପାଇଁ ସମୁଦାୟ ୨୮୦ଟି ବୁଥ କରାଯାଇଥିବା ବେଳେ ଏଥିରେ ୬୦ରୁ ଊର୍ଦ୍ଧ୍ବ ସମ୍ବେଦନଶୀଳ ବୁଥ ରହିଛି । ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ସିଦ୍ଧାର୍ଥ ରାଉତରାୟ ଓ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଭାତୀ ପରିଡ଼ା । ସମସ୍ତେ ନିଜ ସପକ୍ଷରେ ଭୋଟରଙ୍କୁ ନେବାକୁ ଜୋରଦାର ପ୍ରଚାର ଚଳାଇଛନ୍ତି ।

୨୦୦୦ ଓ ୨୦୦୪ରେ ବିଜେଡି-ବିଜେପି ମେଣ୍ଟରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ ବିଜେପିର ବାଇଧର ମଲ୍ଲିକ । ମେଣ୍ଟ ଭାଙ୍ଗିବା ପରେ ୨୦୦୯ ମସିହାରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ସମୀର ରଞ୍ଜନ ଦାଶ । ୩୯ ହଜାର ୧୫୪ ଖଣ୍ଡ ଭୋଟରେ ସମୀର ରଞ୍ଜନ ଦାଶ ଜିତିଥିଲେ । ୨୦୧୪ ମସିହାରେ ୨୯ ହଜାର ୬୩୭ ଓ ୨୦୧୯ ମସିହାରେ ୩୨ ହଜାର ୮ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ ସମୀର । ଏଥର ବିଜେଡି ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି। ନୂଆ ସମୀକରଣରେ ଭୋଟରମାନେ କାହାକୁ ଭୋଟ ଦେବେ, ସେନେଇ ଅଙ୍କ କଷୁଛନ୍ତି ।