ବଢ଼ୁଛି ବେନାମୀ ଆୟର ପରିମାଣ, ଆକାଶଙ୍କ ଆକାଉଣ୍ଟରୁ ଏଯାବତ୍ ମିଳିଲାଣି ୧୭.୫୨ କୋଟି ଜମା
1 min readଭୁବନେଶ୍ୱର: ଘାଣ୍ଟୁଛି SIT, ବାହାରୁଛି କୋଟି କୋଟି ଟଙ୍କା । ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଲୋକଙ୍କୁ ଠକିଥିବା ଆକାଶ ପାଠକଙ୍କ ଆକାଉଣ୍ଟର ଚାଲିଛି ଖୋଳତାଡ଼ । ଖୋଳତାଡ଼ ବେଳେ ଭିଜିଲାନ୍ସ ହାତରେ ଲାଗିଛି ଆଉ ୧.୪୭ କୋଟି ଟଙ୍କାର ପ୍ରମାଣ । ଯେଉଁ ଆୟ ବହିର୍ଭୂତ ଅର୍ଥ ଠକ ଆକାଶ ପାଠକଙ୍କ ପୁନେ ଓ ଭୁବନେଶ୍ୱରରେ ଥିବା ୩ଗୋଟି ଆକାଉଣ୍ଟରେ ଜମା ହୋଇଛି । ଏଥିସହ ଆକାଶଙ୍କ ଆକାଉଣ୍ଟରେ ମୋଟ ୧୭.୫୨ କୋଟି ଟଙ୍କା ଜମା ହୋଇଥିବା ନେଇ ଭିଜିଲାନ୍ସ ହାତରେ ଲାଗିଛି ପ୍ରମାଣ ।
କୌଣସି ଚାକିରି କରିନଥିବା ଆକାଶଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଆସିଛି କେଉଁଆଡ଼ୁ ? ବେନାମୀ ଟଙ୍କା କାରବାର ପଛରେ କିଏ କିଏ ସମ୍ପୃକ୍ତ ? ଏହା ପଛରେ କଣ କେବଳ ଆକାଶଙ୍କ ବାପା ଗିରଫ IFS ଅଧିକାରୀ ଅଭୟକାନ୍ତ ପାଠକ ଓ ଭାବି ଶ୍ୱଶୁର ପ୍ରଦୀପ ପାଣିଗ୍ରାହୀ ରହିଛନ୍ତି ? ଏସବୁର ଛାନଭିନ୍ ଚାଲିଛି । ମନି ଲଣ୍ଡ୍ରିଂ ଓ ଆୟକର ରିଟର୍ଣ୍ଣ ଦାଖଲ ଦିଗ ଉପରେ ତଦନ୍ତ ଆରମ୍ଭ କରିଛନ୍ତି ଇଡି ଓ ଆୟକର ବିଭାଗ ।
ସେପଟେ ଏହି ଅର୍ଥ କାରବାରର ତଦନ୍ତ ଲାଗି ଭିଜିଲାନ୍ସ ଠକ ପାଠକ ବାପ-ପୁଅଙ୍କ ଦସ୍ତଖତ ସଂଗ୍ରହ କରିଛି । ବ୍ୟାଙ୍କରେ ହୋଇଥିବା କାରବାର ସହ ଏହି ଦସ୍ତଖତକୁ ମିଳାଯିବ । ଏଥିସହ ଭିଜିଲାନ୍ସ CCTV ଫୁଟେଜ୍ ଏବଂ ଅନ୍ୟ କାଗଜପତ୍ର ଜବତ କରି ଛାନଭିନ୍ ଚଳାଇଛି । SITରେ ରିମାଣ୍ଡରେ ଥିବା ଆକାଶ ପାଠକ ଜେରା ବେଳେ ସତ ଉଗାଳିଛନ୍ତି । ଟାଟା ମୋଟର୍ସର କୌଣସି ପଦବୀରେ ସେ ଚାକିରି କରିନଥିବା କହିଛନ୍ତି ।
ଗତକାଲି ତଦନ୍ତ ବେଳେ ଭିଜିଲାନ୍ସ ଆକାଶଙ୍କ ଆକାଉଣ୍ଟରେ ଆଉ ୧.୨୮ କୋଟି ଟଙ୍କା ଠାବ କରିଥିଲା । ଆଜି ପୁଣି ୧.୪୭ କୋଟି ଟଙ୍କା ଜମା ମିଳିଛି । ତଦନ୍ତ ଆଗକୁ ବଢ଼ିବା ସହ ଆକାଶଙ୍କ ଆକାଉଣ୍ଟରେ ବଢ଼ି ଚାଲିଛି ଜମା ଅର୍ଥର ପରିମାଣ । ଏହି ଅର୍ଥ ୧୪.୭୭ କୋଟିରୁ ବୃଦ୍ଧି ପାଇ ୧୭.୫୨ କୋଟିରେ ପହଞ୍ଚିଲାଣି । ଏହା ବାଦ୍ ଆକାଶ ପାଠକଙ୍କ ନାଁରେ ବ୍ରହ୍ମପୁର ଓ ବଲାଙ୍ଗିରରେ ବ୍ୟାଙ୍କ ଆକାଉଣ୍ଟ ଏବଂ ଇନ୍ସୁରାନ୍ସ ରହିଥିବା ତଦନ୍ତ ବେଳେ ଜଣାପଡ଼ିଛି । ଏହି ଆକାଉଣ୍ଟ ଗୁଡ଼ିକର ତର୍ଜମା ପରେ ଜମା ପରିମାଣ ଆହୁରି ବଢ଼ିପାରେ ।
ଏଥିସହ ପଢ଼ନ୍ତୁ- ଆକାଶଙ୍କ ଆକାଉଣ୍ଟରେ ୧୬.୦୫ କୋଟି ଟଙ୍କା ଜମା, ବ୍ରହ୍ମପୁର ଓ ବଲାଙ୍ଗିରରେ ବି ରହିଛି ଆକାଉଣ୍ଟ