ଆଜି ବି ଜାରି ରହିବ ଚଢ଼ାଉ: କୁବେର ଅଧିକାରୀ ପ୍ରତାପଙ୍କ ସମ୍ପର୍କୀୟଙ୍କ ଘରେ ତନଖି କରିବ ଭିଜିଲାନ୍ସ

ଭଦ୍ରକ/ଭୁବନେଶ୍ୱର: କୁବେର ଅଫିସରଙ୍କ କୋଟି କୋଟି ଟଙ୍କାର ସଂପତ୍ତି । ପୋଲିସ ହାଉସିଂ କର୍ପୋରେସନର ଉପପ୍ରବନ୍ଧକ ପ୍ରତାପ ସାମଲଙ୍କ ଘରେ ଗତକାଲି ଚଢ଼ାଉ କରିଥିଲା ଭିଜିଲାନ୍‌ସ । ଆଜି କିଛି ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବଙ୍କ ଘରେ ଭିଜିଲାନ୍ସ ରେଡ କରିପାରେ । ଏହାସହ ଅଟକ ଥିବା ପ୍ରତାପଙ୍କୁ ଆଜି ଗିରଫ କରାଯାଇପାରେ । ଗତକାଲି ଏକକାଳୀନ ୧୨ଟି ସ୍ଥାନରେ ରେଡ୍‌ କରିଥିଲା ଭିଜିଲାନ୍ସ । ଆଇଆରସି ଭିଲେଜସ୍ଥିତ ଘରେ ଚଢ଼ାଉ ବେଳେ ଟିଭି ପେଟି ଭିତରେ ୩୮ ଲକ୍ଷ ନଗଦ ଟଙ୍କା ପଡୋଶୀ ଘରକୁ ଫୋପାଡିବା ବେଳେ ମାଡି ବସିଥିଲା ଭିଜିଲାନ୍‌ସ ।

ପ୍ରତାପ, ତାଙ୍କ ପୁଅ ଓ ସ୍ତ୍ରୀଙ୍କ ନାଁରେ ଭୁବନେଶ୍ୱରରେ ୧୭ଟି ପ୍ଲଟ ସହ ୨ଟି ବିଲ୍ଡିଂ ରହିଛି । ଭଦ୍ରକ ବାସୁଦେବପୁରରେ ୫ଟି ପ୍ଲଟ ଓ ଗୋଟିଏ ଘର ଠାବ କରିଥିଲା ଭିଜିଲାନ୍ସ । ସେହିପରି ଅଧ କେଜିଏ ସୁନା ମଧ୍ୟ ଜବତ ହୋଇଛି । ୧୧ଟି ବ୍ୟାଙ୍କ ଆକାଉଣ୍ଟରେ ବାଲାନ୍‌ସ ଓ ଟ୍ରାଞ୍ଜାକ୍ସନ ସମ୍ପର୍କରେ ଖୋଳତାଡ଼ କରାଯାଇଛି । ପ୍ରତାପଙ୍କ ପରିବାର ନାଁରେ ଲକ୍ଷାଧିକ ଟଙ୍କାର ଫିକ୍ସଡ ଡିପୋଜିଟ ରହିଛି । ୩୩ ବର୍ଷର ଚାକିରି କାର୍ଯ୍ୟକାଳ ଭିତରେ ସେ ଏତେ ଆୟ ବହିର୍ଭୁତ ସମ୍ପତ୍ତିର କିଭଳି ମାଲିକ ହେଲେ ସେନେଇ ତଦନ୍ତ ଚଳାଇଛି ଭିଜିଲାନ୍ସ । ଏତେ ଟଙ୍କା କିପରି ଠୁଳ କଲେ ପ୍ରତାପ ? ଆଉ କେଉଁ ଅଧିକାରୀ ଏଥିରେ ସଂପୃକ୍ତ କି ? ଦୁର୍ନୀତିର ଲମ୍ବା ଚେନ୍‌ ଚାଲିଥିଲା କି ? କେତେଥର ବିଦେଶ ଗସ୍ତ କରିଛନ୍ତି ? ଆଉ କେଉଁଠି ସଂପତ୍ତି ଠୁଳ କରିଛନ୍ତି, ସେନେଇ ତନାଘନା ଚାଲିଛି ।

ଏଥିସହିତ ପଢ଼ନ୍ତୁ: ଭିଜିଲାନ୍ସ ଖୋଲିଲା ପ୍ରତାପଙ୍କ ପାପ ଅର୍ଜିତ ସମ୍ପତ୍ତି ପେଢ଼ି: ଏଯାଏଁ ମିଳିଲାଣି ୧୬ କୋଟିର ସମ୍ପତ୍ତି, ଆହୁରି ଅଛି..

Leave a Reply