ସହକାରୀ ଯନ୍ତ୍ରୀଙ୍କ ଟଙ୍କା ହିସାବ କରି ହାଲିଆ ହେଲାଣି ଭିଜିଲାନ୍ସ, ପୁଣି ଜବତ ହେଲା ୧ କୋଟି ୪୦ ଲକ୍ଷ ଟଙ୍କା

ଭୁବନେଶ୍ୱର: କୋଟିପତି ଯନ୍ତ୍ରୀଙ୍କ କୋଟି କୋଟି ସମ୍ପତ୍ତି । ଭଞ୍ଜନଗରର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଟଙ୍କା ହିସାବ କରି କରି ହାଲିଆ ହେଲାଣି ଭିଜିଲାନ୍ସ । ୨ ଦିନରେ ସରିଲାନି, ତୃତୀୟ ଦିନରେ ପୁଣି ଭିଜିଲାନ୍ସ ପାଇଲା ୧ କୋଟି ୪୧ଲକ୍ଷ ନଗଦ ଟଙ୍କା । କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଭଉଣୀଙ୍କ ସାଲିଆ ସାହି ସ୍ଥିତ ଘରୁ ଜବତ ହୋଇଛି କୋଟିଏ ୪୦ ଲକ୍ଷରୁ ଅଧିକ ଟଙ୍କା । ଏହାସହ ପ୍ରାୟ ୩୫୪ ଗ୍ରାମର ସୁନା ଜବତ ହୋଇଛି । ଜେରା ବେଳେ ଟଙ୍କା ଓ ସୁନା ଭଉଣୀ ଘରେ ଥିବା କହିଥିଲେ କାର୍ତ୍ତିକେଶ୍ବରଙ୍କ ପତ୍ନୀ କଳ୍ପନା ପ୍ରଧାନ ।

କାର୍ତ୍ତିକେଶ୍ବରଙ୍କ ଶାଳିଙ୍କ ଘରୁ ୧ କୋଟି ୪୧ ଲକ୍ଷ ୬୨ ହଜାର ୪ଶହ ଟଙ୍କା ଜବତ ହୋଇଥିବା ବେଳେ, ମୋଟ୍ ସିଜ୍ ହୋଇଛି ୩ କୋଟି ୪୧ ହଜାର ୬୬ ହଜାର ୨୮୦ ଟଙ୍କା । ଏଥିସହ ୭୮ ଲକ୍ଷ ୫୦ ହଜାର ଟଙ୍କାରେ ପୋଖରୀପୁଟ କେଶରୀ ଇଷ୍ଟେଟରେ ଟ୍ରିପ୍ଲେକ୍ସ ଠାବ ହୋଇଛି । ଗତକାଲି କାର୍ତ୍ତିକେଶ୍ୱର ରାଉଳଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ୩ ଦିନିଆ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ଆହୁରି ଖୋଲିବ କଳା ଟଙ୍କାର ଗୁମର । କାର୍ତ୍ତିକେଶ୍ୱର ରାଉଳଙ୍କଠାରୁ ଭିଜିଲାନ୍ସ ରେଡ୍ ଇତିହାସରେ ରେକର୍ଡ ଟଙ୍କା ଜବତ ହୋଇଛି ।

୧୯୯୫ ମସିହାରେ କାର୍ତ୍ତିକେଶ୍ୱର ରାଉଳ କ୍ଷୁଦ୍ର ଜଳସେଚନ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରି କରିଥିଲେ । କଳାହାଣ୍ଡି, ନବରଙ୍ଗପୁର, ଭଞ୍ଜନଗର ଓ ବାଲିଗୁଡାରେ କନିଷ୍ଠଯନ୍ତ୍ରୀ ଭାବରେ କାର୍ଯ୍ୟ କରିବା ପରେ ୨୦୧୩ରେ ସହକାରୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ କାର୍ତ୍ତିକେଶ୍ୱର । କେବଳ ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗରେ ଦୀର୍ଘ ୨୦ ବର୍ଷ ଧରି କାର୍ଯ୍ୟ କରିଥିଲେ କାର୍ତ୍ତିକେଶ୍ବର ।