ଚଢାଉ ବେଳେ ଲକ୍ଷାଧିକ ଟଙ୍କା ସହ ସୁନା ବିସ୍କୁଟ ଜବତ

1 min read

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜଣେ ଡ୍ରାଇଭରଙ୍କ ସମେତ ୩ ଜଣ ଅଧିକାରୀ ଫସିଛନ୍ତି। ଯାହାଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହୋଇଛି।

ସୂଚନା ମୁତାବକ ଆଜି ଭୋରରୁ ବଲାଙ୍ଗୀର ୱେସ୍କୋ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ବିଭୁତି ଭୂଷଣ ବିନ୍ଧାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ ହୋଇଛି । ସର୍କିଟ ହାଉସ ନିକଟରେ ଥିବା ବାସଭବନ ଓ ୱେସ୍କୋ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି ।

ତାଙ୍କ ଘରୁ ସୁନା ବିସ୍କୁଟ ଓ ନଗଦ ୧୬ ଲକ୍ଷ ୩୨ ହଜାର ଟଙ୍କା ଜବତ ହୋଇଛି । ଚଢ଼ାଉରେ ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ସୋନପୁର ଭିଜିଲାନ୍ସ ଟିମ ସାମିଲ ହୋଇଛନ୍ତି । ସେହିପରି ଗତକାଲି ପ୍ୟାଲେସ ଲାଇନରେ ଥିବା ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଆକାଉଣ୍ଟ ମ୍ୟାନେଜର ସୁଧିର କୁମାର ନନ୍ଦଙ୍କ ବାସଭବନରେ ଚଢ଼ାଉ କରାଯାଇଥିଲା।

ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଏନଏମଆର ପ୍ରଶାନ୍ତ କୁମାର ନାୟକ । ତାଙ୍କ ଘରେ ଜାରି ରହିଛି ଭିଜିଲାନ୍ସ ରେଡ୍ । ବ୍ରହ୍ମପୁର ଆସିକା ରୋଡସ୍ଥିତ ଘର, କଲେଜ, ଲୋଚାପଡା ଘର , ଦୁଇଟି ଗୋଦାମ ପରି ୫ଟି ସ୍ଥାନରେ ଏକାକାଳୀନ ଚଢାଉ ଜାରି ରହିଛି । ପ୍ରାୟ ୧୮ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ ।

ଆହୁରି ମଧ୍ୟ ଭିଜିଲାନ୍ସ ଜାଲରେ କଳାହାଣ୍ଡି ଧର୍ମଗଡ଼ ପୂର୍ବତନ ଇନ୍ଦ୍ରାବତୀ ପ୍ରକଳ୍ପ ଡ୍ରାଇଭର ରମେଶ ଚନ୍ଦ୍ର ପଣ୍ଡା । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଧର୍ମଗଡ଼ ସ୍ଥିତ କୋଠା ଓ ତାଙ୍କ ଲଜ୍‌ରେ ଏକକାଳୀନ ଭାବରେ ଚଢାଉ ଜାରି ରହିଛି । ମାଲକାନଗିରି ଏସପି ସୁଶାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଭିଜିଲାନ୍ସର ୪ଟି ଟିମ୍ ଚଢାଉରେ ସାମିଲ ହୋଇଛନ୍ତି । ସୂଚନା ଅନୁସାରେ ସୁନା ଗହଣା, ଜମି କାଗଜପତ୍ର, ବିମା କାଗଜପତ୍ର , ଏଟିଏମ ଜବତ ହୋଇଛି ।

ସେହିପରି ଭିଜିଲାନ୍ସ ପଞ୍ଝାରେ ଫସିଛନ୍ତି ଜଣେ ପୋଲିସ ବାବୁ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ପୋଲିସ ASI ରବୀନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ରବୀନ୍ଦ୍ର ସେନାପତି ବର୍ତ୍ତମାନ ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ଅଛନ୍ତି ।

ଆଜି ସକାଳୁ ସକାଳୁ କଟକ ଭିଜିଲାନ୍ସ ଏସପିଙ୍କ ନିର୍ଦେଶରେ ଭିଜିଲାନ୍ସର ୪ଟି ଟିମ ଏହି ଚଢ଼ାଉରେ ସାମିଲ ରହିଛନ୍ତି । ଏଥିରେ ପାଖପାଖି ୨୫ ଜଣ ଭିଜିଲାନ୍ସ କର୍ମଚାରୀ ନିୟୋଜିତ ରହିଛନ୍ତି । ପ୍ରାୟ ୨କୋଟି ଟଙ୍କାର ସମ୍ପତି ଜବତ ହୋଇଛି । ସୁନା ଗହଣା, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ନଗଦ ଟଙ୍କା ଜବତ ହୋଇଛି । ଜଗତସିଂହପୁର ସିପି ମକୁନ୍ଦପୁରସ୍ଥିତ ଘର, ବାସସ୍ଥାନ, ଏରସମା ଗଡ଼ବିଶନପୁର ଆନନ୍ଦପୁର, ଭୁବନେଶ୍ୱରର ହଂସପାଲ, ତିର୍ତ୍ତୋଲ ସ୍ଥିତ କାର୍ଯ୍ୟାଳୟରେ ଚଢାଉ ହୋଇଛି ।

Leave a Reply