ସରୁନି ପ୍ରାଣୀଧନ ନିରୀକ୍ଷକଙ୍କର ସମ୍ପତ୍ତି ହିସାବ, କୁବେରଙ୍କ କଳା ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା

ଭୁବନେଶ୍ୱର: ସରୁନି ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କର ସମ୍ପତ୍ତି ହିସାବ । କଳାରଙ୍ଗର କୁବେରଙ୍କ କଳା ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା । ଜଗନ୍ନାଥ ରାଉତଙ୍କୁ ଅଟକ ରଖି ଚାଲିଛି ଅଧିକ ଖୋଳତାଡ଼ । ପ୍ରଶ୍ନ ଉଠୁଛି, ଜଗନ୍ନାଥ ଏତେ ସମ୍ପତ୍ତିର ମାଲିକ ହେଲେ କେମିତି? ଚାକିରି ଟଙ୍କା ବ୍ୟତୀତ ଆଉ କ’ଣ ଥିଲା ଇନକମ ସୋର୍ସ ? ଯାହାର ଖୋଳତାଡ଼ ପାଇଁ ଗିରଫ ପରେ କୋର୍ଟ ଚାଲାଣ କରିପାରେ ଭିଜିଲାନ୍ସ । ଏହା ପରେ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିପାରେ ଭିଜିଲାନ୍ସ ।

ଏପର୍ଯ୍ୟନ୍ତ ଜଗନ୍ନାଥଙ୍କର ୭ କୋଟି ୨୧ ଲକ୍ଷ ଟଙ୍କାର ସଂପତ୍ତି ଠାବ ହୋଇଛି । ଏଥିରେ ରହିଛି ୯୦ଟି ପ୍ଲଟ, ୪ଟି ବଡ଼ କୋଠା ଓ ୩ଟି ଫ୍ଲାଟ । କେବଳ ଭୁବନେଶ୍ୱରରେ ରଘୁନାଥପୁରରେ ରହିଛି ୮ଟି ଫ୍ଲାଟ । ଏହା ସହିତ ୩୨ ଲକ୍ଷ ଟଙ୍କାର ୧୦ ଗ୍ରାମ ହୀରା, ୨୦ ଲକ୍ଷ ଟଙ୍କାର ଅଧ କିଲୋ ସୁନା ଅଳଙ୍କାର, ୨୫ ହଜାର ଟଙ୍କାର ରୁପା ଠାବ ହୋଇଛି । ଠାକୁର ଘରେ ଚାନ୍ଦିର ମୂର୍ତ୍ତି ଓ ହାତୀ, ୯୨ ହଜାର ଟଙ୍କାର ଘଣ୍ଟା ସହ ଘରେ ବିଳାସପୂର୍ଣ୍ଣ ଇଣ୍ଟେରିୟର୍ ଡିଜାଇନ୍ କରାଯାଇଛି । ବିଭିନ୍ନ ବ୍ୟାଙ୍କରେ ୧୭ ଲକ୍ଷ ଟଙ୍କାର ଜମା ସଂପର୍କିତ କାଗଜପତ୍ର ଜବତ ହୋଇଛି ।