୨୨ ଘଣ୍ଟା ପରେ ସରିଲା ଭିଜିଲାନ୍ସ ଚଢ଼ାଉ; କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ

ଭୁବନେଶ୍ବର: କୁବେର ଅଧିକାରୀଙ୍କ କଳା ସାମ୍ରାଜ୍ୟ। ଯେତେ ଗଣିଲେ ସେତେ ବାହାରୁଛି। କୋଟି କୋଟି ଟଙ୍କାର ସଂପତ୍ତି ଆକଳନ କରୁଛି ଭିଜିଲାନ୍‌ସ। ଲଗାତର ୨୨ଘଣ୍ଟା ରେଡ୍ ପରେ ଭୋର ୩ଟାରେ ସରିଲା ଯାଞ୍ଚ ପ୍ରକ୍ରିୟା । ଯାଞ୍ଚ ବେଳେ ସାମ୍ନାକୁ ଆସିଛି ପୋଲିସ ହାଉସିଂ କର୍ପୋରେସନର ଉପପ୍ରବନ୍ଧକ ପ୍ରତାପ ସାମଲଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ତାଲିକା। ୩କୋଟି ୪୧ଲକ୍ଷ ୫୮ହଜାର ୪୧୨ର ୨୫ଟି ପ୍ଲଟ୍ ରହିଛି ପ୍ରତାପଙ୍କ ନାଁରେ । ଗୋଠପାଟଣାରେ ଥିବା ୫ମହଲା ବିଶିଷ୍ଟ ବହୁତଳ ପ୍ରାସାଦର ମୂଲ୍ୟ ହେବ ୩କୋଟି ୮୯ଲକ୍ଷ ୬୦ ହଜାର । ଅନ୍ୟ ପ୍ଲଟ୍ ଓ ବିଲଡିଂର ମୂଲ୍ୟ ଏଯାଏ ନିରୂପଣ ହୋଇନି । ଓଡ଼ିଶା ଭିଜିଲାନ୍ସର ଟେକନିକାଲ ୱିଙ୍ଗ ମୂଲ୍ୟାୟନ ଜାରି ରଖିଛନ୍ତି ।

ପ୍ରତାପ ଓ ତାଙ୍କ ପରିବାର ନାଁରେ ଥିବା ୧୧ଟି ବ୍ୟାଙ୍କ ଆକାଉଣ୍ଟରେ ରହିଛି କୋଟିଏ ୬୧ ଲକ୍ଷ ୩୫ ହଜାର ୮୧୨ । ବ୍ୟାଙ୍କ ଆକାଉଣ୍ଟ ସିଜ୍ କରାଯାଇଛି । ୫୭ଲକ୍ଷ ୭୨ହଜାର ୧୫୦ଟଙ୍କାର ବୀମା ରହିଛି ପ୍ରତାପଙ୍କ ନାଁରେ । ପ୍ରତାପଙ୍କୁ ଅଟକ ରଖି ପଚାଉଚରା କରୁଛି ଭିଜିଲାନ୍ସ । ୩୩ ବର୍ଷର ଚାକିରି କାର୍ଯ୍ୟକାଳ ଭିତରେ ସେ ଏତେ ଆୟ ବହିର୍ଭୁତ ସମ୍ପତ୍ତିର କିଭଳି ମାଲିକ ହେଲେ ସେନେଇ ତଦନ୍ତ ଚଳାଇଛି ଭିଜିଲାନ୍ସ।

ଗତକାଲି ୧୦ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିଲା । ଆଇଆରସି ଭିଲେଜ ସ୍ଥିତ ଘରେ ଚଢ଼ାଉ ବେଳେ ଟିଭି ପେଟି ଭିତରେ ୩୬ ଲକ୍ଷ ନଗଦ ଟଙ୍କା ପଡୋଶୀ ଘରକୁ ଫୋପାଡିବା ବେଳେ ମାଡି ବସିଥିଲା ଭିଜିଲାନ୍‌ସ। ପ୍ରତାପ, ତାଙ୍କ ପୁଅ ଓ ସ୍ତ୍ରୀଙ୍କ ନାଁରେ ଭୁବନେଶ୍ୱରରେ ୧୭ଟି ପ୍ଲଟ ସହ ୨ଟି ବିଲ୍ଡିଂ ରହିଛି । ଭଦ୍ରକ ବାସୁଦେବପୁରରେ ୫ଟି ପ୍ଲଟ ଓ ଗୋଟିଏ ଘର ଠାବ କରିଥିଲା ଭିଜିଲାନ୍ସ । ସେହିପରି ଅଧ କେଜିଏ ସୁନା ମଧ୍ୟ ଜବତ ହୋଇଛି ।

Leave a Reply