ଅମାପ ସମ୍ପତ୍ତିର ଅଧିକାରୀ ଗିରଫ କନଷ୍ଟେବଳ ପ୍ରସନ୍ନ, ପ୍ରାୟ ୭ କୋଟିର ତାଲିକା ଦେଲା ଭିଜିଲାନ୍ସ

ଭୁବନେଶ୍ୱର: ଚାକିରି ଥିଲା କନଷ୍ଟେବଳ, ଧନ ଥିଲା ଅମାପ  । ପୁଳା ପୁଳା ସୁନା, ଅସରନ୍ତି ସମ୍ପତ୍ତି  ।  ଗିରଫ ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ସମ୍ପତ୍ତିର ଆକଳନ କରି ହାଲିଆ ଅଧିକାରୀ । ପ୍ରାୟ ୭ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ତାଲିକା ଦେଇଛି ଭିଜିଲାନ୍ସ । ୬କୋଟି ୯୭ ଲକ୍ଷ ୧୫ ହଜାର ୫୭ ଟଙ୍କାର ହିସାବ ପାଇଛି ଭିଜିଲାନ୍ସ ଟିମ୍ ।

ମିଳିଥିବା ସୂଚନା ମୁତାବକ ପ୍ରସନ୍ନଙ୍କ ସମୁଦାୟ ସମ୍ପତ୍ତିରୁ ୨୨୧ ପ୍ରତିଶତ ଅଛି ଆୟ ବହିର୍ଭୂତ ସମ୍ପତ୍ତି । ପ୍ରସନ୍ନ ଓ ତାଙ୍କ ପରିବାର ନାଁରେ ମାମଲା ରୁଜୁ କରାଯାଇଛି । ଗତ ୨୮ ତାରିଖରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଭୁବନେଶ୍ବର କଳ୍ପନା ଛକରେ ଥିବା ସରକାରୀ ବାସଭବନ, ଡୁମଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁରରେ ଥିବା ଫର୍ଣ୍ଣିଚର ୱାର୍କସପ୍, ପାତ୍ରପଡ଼ାରେ ଥିବା ସାଉଥ ସିଟି ବାର୍, ଖୋର୍ଦ୍ଧା ନୂଆପଡ଼ାରେ ଥିବା ପୈତୃକ ଘରେ ଚଢ଼ାଉ କରାଯାଇଥିଲା ।

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମୃତ୍ୟୁ ମାମଲାରେ ହୋଟେଲ ସାଉଥସିଟିର ଲିଙ୍କ ରହିଥିଲା  । କୋଭିଡ ନିୟମ ଉଲ୍ଲଂଘନ କରି ରାତି ଅଧରେ ରାତି ରଙ୍ଗୀନ ହେଉଥିଲା  । ଏବଂ ଏହି ହୋଟେଲ ଗିରଫ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଭାଇ ନାଁରେ ରହିଥିଲା  । ପରବର୍ତ୍ତୀ ସମୟରେ ଆଳୁ ଖୋଳୁ ଖୋଳୁ ମହାଦେବ ପାଇଲା ପରି ଜଣାପଡ଼ିଥିଲା ପ୍ରସନ୍ନଙ୍କ କାରନାମା  । ଅମାପ ସମ୍ପତ୍ତି ନେଇ ସୁରାକ ପାଇଥିଲା ଭିଜିଲାନ୍ସ ଟିମ୍  । ଚଢ଼ାଉରେ ୫ଟି ଟିମ୍ ସାମିଲ ଥିବାବେଳେ, ୨ ଜଣ ଡିଏସପି, ୬ ଇନସ୍ପେକ୍ଟର ଟିମରେ ରହିଥିଲେ  ।

Leave a Reply