ଭିଜିଲାନ୍ସ ଜାଲରେ ଆରଆଇ ଓ ସ୍ୱାସ୍ଥ୍ୟକେନ୍ଦ୍ର କିରାଣୀ, ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବାଲେଶ୍ୱର: ଏବେ ଆକ୍ସନ ମୋଡରେ ଭିଜିଲାନ୍ସ ଦେଖାଯାଇଛି । ଦୁର୍ନୀତିଖୋର ଅଫିସର ଓ କର୍ମଚାରୀ ଏବେ ଭିଜିଲାନ୍ସ ସ୍କାନରରେ ରହିଛନ୍ତି । ସାଧାରଣ ଲୋକଙ୍କୁ ଶୋଷଣ କରି ଲାଞ୍ଚ ନେଉଥିବା ଅଧିକାରୀଙ୍କୁ ରେଡ ହ୍ୟାଣ୍ଡ ଧରୁଛି ଭିଜିଲାନ୍ସ । ଆଜି ମଧ୍ୟ ଦୁଇଟି ପୃଥକ ସ୍ଥାନରେ ଭିଜିଲାନ୍ସ ଲାଞ୍ଚ ନେବା ସମୟରେ ଧରିଛି ।ବାଲେଶ୍ୱର ଓ ଖୋର୍ଦ୍ଧାର ଦୁଇଟି ସ୍ଥାନରେ କର୍ମଚାରୀ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ଭିଜିଲାନ୍ସ ବାଲେଶ୍ବର ଜିଲ୍ଲା ସଦର ତହସିଲ ବଇଁଚା ଆରଆଇ ଡଲି ସେଠୀ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଡଲିଙ୍କୁ ଧରିଲା ଭିଜିଲାନ୍ସ । ଲାଞ୍ଚ ଟଙ୍କା ଜବତ କରାଯିବା ସହିତ ତାଙ୍କୁ ଗିରଫ କରାଯାଇଛି । ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ମାମଲାରେ ଆରଆଇ ତଦନ୍ତ ରିପୋର୍ଟ ଦେବାକୁ ଡଲି ସେଠୀ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପୂର୍ବ ଯୋଜନା ଅନୁସାରେ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀ ତୁରନ୍ତ ଡ଼ଲିଙ୍କୁ କାବୁ କରି ନେଇଥିଲେ । ଭିଜିଲାନ୍ସ ଏକ ମାମଲା ରୁଜୁ କରି ଡଲିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସେହିପରି ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସ୍ବାସ୍ଥ୍ୟକେନ୍ଦ୍ର କିରାଣୀ । ମୃତ ବ୍ୟକ୍ତିଙ୍କ ପ୍ରମାଣପତ୍ର କରିଦେବାକୁ ୫ହଜାର ଟଙ୍କା ଲାଞ୍ଚ ନେଉଥିଲେ ଖୋର୍ଦ୍ଧା ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କିରାଣୀ ଅନୁପ ଶତପଥୀ । ମାଡି ବସିଲା ଭିଜିଲାନ୍ସ । ଲାଞ୍ଚଟଙ୍କା ସହ କିରାଣୀଙ୍କୁ ରେଡହ୍ୟାଣ୍ଡେଡ ଧରିଛି ଭିଜିଲାନ୍ସ । ଚମ୍ପାଝର ଗାଁର ସୁନିଲ ତ୍ରିପାଠୀ ତାଙ୍କ ଜେଜେ ବାପା ଜେଜେ ମାଆଙ୍କ ମୃତ ପ୍ରମାଣ ପତ୍ର ପାଇଁ ହଳଦିଆ ସ୍ବାସ୍ଥ୍ୟ କେନ୍ଦ୍ରର କିରାଣୀ ଅନୁପ ଶତପଥୀଙ୍କ ସହ ଯୋଗାଯୋଗ କରିଥିଲେ । ପ୍ରମାଣପତ୍ର ପାଇଁ ଅନୁପ ୬ହଜାର ଟଙ୍କା ଦାବି କରିଥିଲେ । ଆଜି ନିଜ କାର୍ଯ୍ୟାଳୟରେ ଅନୁପ ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ।