ଅବସର ଦିନ ଫୁଲମାଳ ବଦଳରେ ହାତକଡ଼ି ପିନ୍ଧିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ ଆଜି ନେଇଥାନ୍ତେ ଅବସର । ଅଫିସରେ ସହକର୍ମୀ ଫୁଲ ମାଳ ପିନ୍ଧାଇ ଧୁମଧାମରେ ବିଦାୟ ଦେଇଥାନ୍ତେ । ହେଲେ ଅବସର ନେବା ପୂର୍ବରୁ ବାନ୍ଧିଲା ଭିଜିଲାନ୍ସ । ବେକରେ ଫୁଲମାଳ ପିନ୍ଧିବା ବଦଳରେ ହାତରେ ହାତକଡ଼ି ପିନ୍ଧି ଜେଲ୍ ଗଲେ । ଗତକାଲି ବାବୁଙ୍କ ଘରୁ ବିଡ଼ା ବିଡ଼ଶ ଟଙ୍କା ସହ ଅମାପ ସମ୍ପତ୍ତି ମିଳିବା ପରେ ଆଜି ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି ।
ଆଜି ମଧ୍ୟ ଦ୍ୱିତୀୟ ଦିନରେ ଭିଜିଲାନ୍ସ ଟିମ୍ ମାରାଥନ ରେଡ୍ କରୁଛି । ଅମାପ ଧନ ଦେଖି ତାଜୁବ ଭିଜିଲାନ୍ସ ଟିମ୍ । ଗତକାଲି ଚଢ଼ାଉରେ ତାଙ୍କ ଘରୁ ନଗଦ ୨ କୋଟି ୫୧ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିଲା । ଏହାସହ ୨ଟି ବହୁତଳ ପ୍ରାସାଦ, ୨ଟି ଫ୍ଲାଟ୍, ୭ଟି ଦାମୀ ପ୍ଲଟ, ଦେଢ଼ କୋଟି ଟଙ୍କାର ବୀମା ଓ ବ୍ୟାଙ୍କ ଡିପୋଜିଟ ମିଳିଥିଲା । ସେୟାର ମାର୍କେଟରେ ୨ କୋଟି ୭୦ ଲକ୍ଷ ଟଙ୍କା ନିବେଶ କରିଥିଲେ ବାବୁ । ଅନୁଗୁଳ କରଡ଼ାଗଡ଼ିଆରୁ ଦୁଇ ମହଲା କୋଠା ଓ ମାଟିଆସିହରୁ ଏକ ଦୁଇ ମହଲା କୋଠା ଠାବ ହୋଇଥିଲା ।
ସେହିପରି ଭୁବନେଶ୍ଵର ଡୁମୁଡୁମାରେ ଫ୍ଲାଟ, ପିପିଲିରେ ଏକ ଫ୍ଲାଟ ଠାବ ହୋଇଥିଲା । ଭୁବନେଶ୍ଵର ଓ ଅନୁଗୁଳର ବିଭିନ୍ନ ସ୍ଥାନରୁ ୭ଟି ଦାମୀ ପ୍ଲଟ ଠାବ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ରେଡ ଜାରି ରଖିଛି । ଅନୁଗୁଳ ଜିଲ୍ଲାର ୪ଟି ସ୍ଥାନ ସମେତ ଭୁବନେଶ୍ଵର ଓ ପିପିଲିକୁ ମିଶାଇ ମୋଟ ୭ଟି ଜାଗାରେ ଚାଲିଛି ରେଡ୍ ।
ଗତକାଲି ଭିଜିଲାନ୍ସ ଟିମକୁ ଦେଖି ଭୁବନେଶ୍ଵର ଘରୁ ଝରକା ଦେଇ ଟଙ୍କା ଫିଙ୍ଗି ଦେଇଥିଲେ ଲାଞ୍ଚୁଆ ବାବୁ । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବହୁ ସୁନା ଅଳଙ୍କାର, ପାଟ ଶାଢ଼ୀ ଓ ନାମୀ ଦାମୀ ବ୍ରାଣ୍ଡର ହାତ ଘଣ୍ଟା ବି ଅଛି ତାଙ୍କ ସମ୍ପତ୍ତି ତାଲିକାରେ । ଭିଜିଲାନ୍ସ ଅଧିକାରୀ ଏସବୁ ଦେଖି ଜଳକା ହୋଇଯାଇଛନ୍ତି ।