ତୁହାକୁ ତୁହା ଜେରା ପରେ ଗିରଫ ହେଲେ ବାପ-ପୁଅ, ଗିରଫ ପୂର୍ବରୁ ହୋଇଥିଲା କୋଭିଡ ଟେଷ୍ଟ
ଭୁବନେଶ୍ୱର: ଗିରଫ ହେଲେ ଆଇଏଫଏସ୍ ଅଭୟ ପାଠକ ଏବଂ ପୁଅ ଆକାଶ ପାଠକ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଅଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ । ତେବେ ଟାଟା ମୋଟର୍ସ ତରଫରୁ ଏତଲା ହେବା ପରେ ଭିଜିଲାନ୍ସ ଆକାଶଙ୍କୁ ମଧ୍ୟ ଗିରଫ କରିଛି । ଧୁର୍ତ ଆଇଏଫଏସ ଅଫିସର ଅଭୟ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକ ଏକାଥରକେ ଗିରଫ ହୋଇଛନ୍ତି ।
ଦୁଇ ଦିନରେ ୧୫୦ ଅଫିସରଙ୍କ ମାରାଥନ୍ ରେଡ୍ ପରେ ଏବେ ନିଆଯାଇଛି ଆକ୍ସନ୍ । ରେଡ୍ ସମୟରେ ଭିଜିଲାନ୍ସ ହାତରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ବହୁ ବେନାମୀ ସଂପତ୍ତି ସହ ବେଆଇନ କାର୍ଯ୍ୟର ଦସ୍ତାବିଜ ଲାଗିଛି । ସାମାଜିକ ବନୀକରଣ କାର୍ଯ୍ୟରେ ହୋଇଥିବା ବଡ଼ ସ୍କାମର ହେବ ଖୁଲାସା ।
ସାରା ରାତି ବାପା, ପୁଅଙ୍କୁ ଜେରା କରିଛି ଭିଜିଲାନ୍ସ । ଡିଆଇଜି ସଞ୍ଜୟ କୌଶଲ ଅଭୟକାନ୍ତଙ୍କୁ ଜେରା କରିଛନ୍ତି । ଭିଜିଲାନ୍ସ ଏସପି ଅନୁପମା ଜେମ୍ସ ମଧ୍ୟ ପଚରାଉଚରା ବେଳେ ଉପସ୍ଥିତ ରହି ଜେରା କରିଥିଲେ । ରାତି ତମାମ ବିଭିନ୍ନ ଦିଗକୁ ନେଇ ତୁହାକୁ ତୁହା ହୋଇଥିଲା ପ୍ରଶ୍ନ ।
ଆଜି ଉଭୟଙ୍କୁ କୋଭିଡ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା ଭିଜିଲାନ୍ସ । ତାଙ୍କ ପୁଅ, ପୁତୁରା ଓ ଡ୍ରାଇଭରଙ୍କୁ ମଧ୍ୟ କ୍ୟାପିଟାଲ ହସ୍ପିଟାଲକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲା । ଏହାପରେ ୪ ଜଣଙ୍କୁ କୋର୍ଟରେ ହାଜର କରିଥିଲା ଭିଜିଲାନ୍ସ । ତେବେ ଗତକାଲା ଆକାଶ ମୁମ୍ବାଇରୁ ଭୁବନେଶ୍ୱରରେ ପହଞ୍ଚିବା ପରେ ଭିଜିଲାନ୍ସ ଆରମ୍ଭ କରିଥିଲା ଜେରା । । ସୂଚନା ମୁତାବକ ଭିଜିଲାନ୍ସ ହାତରେ ଅନେକ ତଥ୍ୟ ଲାଗିଥିବା ଜଣାପଡ଼ିଛି ।