ସଂସଦ ଟିଭି ଢ଼ାଞ୍ଚାରେ ଓଡ଼ିଶାରେ ହେବ ବିଧାନସଭା ଟିଭି

ଭୁବନେଶ୍ୱର: ଏପ୍ରିଲ୍ ୧ ଅର୍ଥାତ ଉତ୍କଳ ଦିବସରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏବେ ଓଡ଼ିଶା ବିଧାନସଭା ସମାଚାର ୟୁ ଟ୍ୟୁବ ଚ୍ୟାନେଲ ଅଛି ।  ବିଜୁ ଜୟନ୍ତୀରୁ ୟୁ ଟ୍ୟୁବ ଚ୍ୟାନେଲର ଶୁଭାରମ୍ଭ ହୋଇଥିଲା । ବିଧାନସଭା ଟିଭି ପାଇଁ ବିଧାନସଭା ପରିସରରେ ଷ୍ଟୁଡିଓ ତିଆରି ହେଉଛି । ଏହି ଚ୍ୟାନେଲରେ ବିଧାନସଭା ସଂପର୍କିତ ଖବର ପ୍ରସାରଣ କରାଯିବ ବୋଲି କହିଛନ୍ତି ବାଚସ୍ପତି ।

ସେହିପରି ଏପ୍ରିଲ ୧ରୁ ମଧ୍ୟ ବିଧାନସଭା ପତ୍ରିକା ନାମକ ଏକ ମାସିକ ପତ୍ରିକା ପ୍ରକାଶ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେପଟେ ଆସନ୍ତା ୨୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ବଜେଟ ଅଧିବେଶନ । ଏଥିପାଇଁ ଆଜିଠାରୁ ବିଧାନସଭା ପରିସରରେ ଆରମ୍ଭ ହୋଇଛି କୋଭିଡ ଆରଟିପିସିଆର ଟେଷ୍ଟ । ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିଙ୍କର ମଧ୍ୟ କୋଭିଡ ଟେଷ୍ଟ ହେଉଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ବିଧାନସଭା ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।