ଏଏସଆଇ ଆଲିସ୍ ଲୁଗୁନଙ୍କ ମୃତ୍ୟୁ ଘଟଣା : ସାମ୍ନାକୁ ଆସିଲା ଶେଷ ଭିଡିଓ

1 min read

ରାଉରକେଲା :   ଏଏସଆଇ ଆଲିସ୍ ଲୁଗୁନ ମୃତ୍ୟୁ ନେଇ ବଢୁଛି ସନ୍ଦେହ ।  ଡ୍ୟୁଟି ସମୟରେ ASI ଆଲିସ ଲୁଗୁନଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଗଣ୍ଡଗୋଳ ସମୟର ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଗଣ୍ଡଗୋଳ ହୋଇଥିବା ସ୍ଥାନରେ ପହଞ୍ଚିଥିଲେ ଏଏସଆଇ । ତେବେ ଗଣ୍ଡଗୋଳକାରୀ ଏଏସଆଇ ଆଲିସଙ୍କ ସହ ଯୁକ୍ତିତର୍କ କରିଥିଲେ । ସ୍ବାମୀଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ । ରାଉରକେଲା ସହରର ଉଦିତନଗର ଥାନାରେ କାର୍ଯ୍ୟ କରୁଥିଲେ ଏଏସଆଇ ଆଲିସ୍ ଲୁଗୁନ ।

ବିରଜାପାଲି ନିକଟରେ କାରକୁ ଧକ୍କା ଦେଇ ଆସୁଥିବା ବସର କର୍ମଚାରୀଙ୍କୁ କାରରେ ଥିବା ଲୋକମାନେ ରିଙ୍ଗ ରୋଡରେ ମାରପିଟ କରୁଥିବା ଅଭିଯୋଗ ହୋଇଥିଲା । ସୂଚନା ପାଇ ପିସିଆର ଭ୍ୟାନ ସହ ଗଣ୍ଡଗୋଳ ସ୍ଥଳରେ ପହଞ୍ଚିଥିଲେ ଆଲିସ୍ । ତେବେ ଗଣ୍ଡଗୋଳ ସମୟରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ ଆଲିସ । ହସ୍ପିଟାଲ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଶରୀରର ବିଭିନ୍ନ ସ୍ଥାନରେ ଦାଗ ରହିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ଜଣା ପଡ଼ିବ ବୋଲି କହିଛି ପୋଲିସ୍ । ଘଟଣାରେ କାହାରର ସଂପୃକ୍ତି ଥିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଉରକେଲା ଏସପି ସୂଚନା ଦେଇଛନ୍ତି । ଅନ୍ୟପଟେ ମାରପିଟ କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଉଦିତନଗର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି ।