ନାଚୁ ନାଚୁ ଚାଲିଗଲା ଜୀବନ, ଦର୍ଶକ ଦେଖୁଥିଲେ ଅଭିନୟ

1 min read

ଜାମ୍ମୁ: କିଏ ଜାଣିଥିଲା ତାଙ୍କର ଏହି ନୃତ୍ୟ ଜୀବନର ଶେଷ ନୃତ୍ୟ ହେବ । କିଏ ଜାଣିଥିଲା ସେ ଆଉ ଷ୍ଟେଜ୍ ଚଢ଼ିବେନି କି ଆଉ ନାଚି ପାରିବେନି । ହଁ ଆଜ୍ଞା ଜଣେ ଯୁବତୀଙ୍କ ଜୀବନରେ ଏପରି ମୃତ୍ୟୁ ଆସିବ ବୋଲି କେହି କେବେ ଭାବି ନଥିଲେ । ଜାଗରଣରେ ନୃତ୍ୟ କରୁ କରୁ ଚାଲିଯାଇଛି ଜଣେ ଯୁବତୀଙ୍କ ଜୀବନ ।

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ । ଜାମ୍ମୁରେ ଘଟିଥିବା ଏହି ଘଟଣା ଯିଏ ଦେଖୁଛି ସେ ସ୍ତବ୍ଧ ହୋଇଯାଉଛି । ଜାମ୍ମୁର ଏକ ସ୍ଥାନରେ ଜାଗରଣର ଆୟୋଜନ କରାଯାଇଥିଲା  । ଏଥିରେ ଯୁବତୀ ଜଣଙ୍କ ପାର୍ବତୀ ଭୂମିକାରେ ଅଭିନୟ କରିଥିଲେ । ଗୀତ ଚାଲୁଥିଲା ବେଳେ ସେ ଗୀତରେ ନୃତ୍ୟ ପରିବେଷଣ କରୁଥିଲେ । ହେଲେ ଗୀତଟି ସରିବା ଆଗରୁ ସରିଯାଇଥିଲା ଜୀବନ । କେହି କିଛି ଭାବିବା ପୂର୍ବରୁ ସେ ଚାଲିଯାଇଥିଲେ ଆରପାରିକୁ ।

ହାର୍ଟ ଆଟାକ ହୋଇଥିବାରୁ ଯୁବତୀ ଜଣଙ୍କ ଷ୍ଟେଜ୍ ଉପରେ ହିଁ ଟଳି ପଡ଼ିଥିଲେ । ଭିଡିଓରେ ଦେଖାଯାଉଛି ଯେ, ଯୁବତୀ ଜଣଙ୍କ ନୃତ୍ୟ କରୁଛନ୍ତି । ଅଧା ଗୀତରେ ସେ ତଳେ ପଡ଼ି ଯାଉଛନ୍ତି । ପୁଣି ଉଠିବାକୁ ବି ଚେଷ୍ଟା କରୁଛନ୍ତି କିନ୍ତୁ ସେ ପାରୁ ନାହାନ୍ତି । ତାଙ୍କୁ ଦେଖୁଥିବା ଦର୍ଶକ ବି ଜାଣିପାରୁ ନାହାନ୍ତି ସେ କାହିଁକି ଉଠୁ ନାହାନ୍ତି । ସେମାନେ ଭାବୁଛନ୍ତି ବୋଧହୁଏ ଏହା ତାଙ୍କ ଅଭିନୟର ଏକ ଅଂଶ । କିନ୍ତୁ ପୂରା ଗୀତ ସରିଯାଉଛି ଯୁବତୀ ଜଣଙ୍କ ଆଉ ଉଠୁ ନାହାନ୍ତି । ପରେ ପାଖରେ ଥିବା ଲୋକମାନେ ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ସେ ଆଉ ଉଠୁ ନାହାନ୍ତି ।

ପୂର୍ବରୁ ବି ଏମିତି ଘଟଣା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶରେ ବାର୍ଥ ଡେ’ ପାର୍ଟିରେ ନାଚୁଥିଲାବେଳେ ଜଣଙ୍କର ପ୍ରାଣ ଚାଲିଯାଇଥିଲା ।