ବିଜେଡି ମୁଖ୍ୟାଳୟରେ ବିଜୟ ଉତ୍ସବ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର ନବନିର୍ବାଚିତ ମେୟର ସୁଲୋଚନା ଦାସ ଓ କର୍ପୋରେଟରଙ୍କୁ ନେଇ ବିଜେଡି ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରାଯାଇଛି । ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ତଥା ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ବରେ ବିରାଟ ପଟୁଆରରେ ଦଳୀୟ କାର୍ଯ୍ୟାଳୟରୁ ନବୀନ ନିବାସ ଯାଇଥିଲେ ମେୟର, କର୍ପୋରେଟର ଓ ସମର୍ଥକ । ସେଠାରେ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ଦିନରେ ଏକ ନମ୍ବର ସ୍ମାର୍ଟସିଟି ଭୁବନେଶ୍ବରକୁ ଆହୁରି ସବୁଜ, ସୁନ୍ଦର ଓ ବିକଶିତ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ପୌର ନିର୍ବାଚନରେ ବିପୁଳ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ଦଳର ଅଗଣିତ କର୍ମୀଙ୍କ ସମର୍ପିତ ଉଦ୍ୟମକୁ ପ୍ରଶଂସା କରିବା ସହ ଏହା ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇଁ ସମ୍ଭବ ହୋଇଥିବା ଟ୍ବିଟ କରିଛନ୍ତି । ଏହି ବିଜୟ ତୃଣମୂଳ ସ୍ତରରେ ଦଳ ପ୍ରତି ଓଡ଼ିଶାବାସୀଙ୍କ ଭଲ ପାଇବାକୁ ପ୍ରମାଣିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି । ଏଥିସହ ରାଜ୍ୟର ବିକାଶ ଧାରାରେ ସାମିଲ ହେବାକୁ ସଭିଙ୍କୁ ସେ ଆହ୍ବାନ ଦେଇଛନ୍ତି ।