ବୋରଓ୍ବେଲରେ ଥିବା ନବଜାତକର ଉଦ୍ଧାର ପାଇଁ ଯିବ ଭିକ୍ଟିମ ଲୋକେସନ କ୍ୟାମେରା

ଭୁବନେଶ୍ବର: ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ବୋରଓ୍ବେଲରେ ନବଜାତକର ଉଦ୍ଧାର ପାଇଁ ଯିବ ଭିକ୍ଟିମ ଲୋକେସନ କ୍ୟାମେରା । ଏହି କ୍ୟାମେରା ପଠାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଉଡ଼ାଜାହାଜରେ କ୍ୟାମେରା ପଠାଯିବ ।  ଭୁବନେଶ୍ବରରୁ ଏହି ଭିକ୍ଟିମ ଲୋକେସନ କ୍ୟାମେରା ପଠାଯିବ । ଏନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।  ତେବେ ଭିକ୍ଟିମ କ୍ୟାମେରା ସାହାର୍ଯ୍ୟରେ ଶିଶୁଟି କେତେ ଦୂରରେ ଅଛି ଏବଂ ଶିଶୁର ଗତିବିଧି ଉପରେ ନଜର ରଖିବ ।

ସୂଚନା ଥାଉକି, ପରିତ୍ୟକ୍ତ ବୋରଓ୍ବେଲ ଭିତରେ ପଡ଼ିଛି ନବଜାତ ଶିଶୁ । ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ ନବଜାତ ଶିଶୁ ପଡ଼ିଥିବା ଜଣାପଡ଼ିଛି । ଜଙ୍ଗଲ ରାସ୍ତା ଦେଇ ଯାଉଥିବା କିଛି ଲୋକ ପ୍ରଥମେ କଅଁଳଶିଶୁର କାନ୍ଦିବା ଶୁଣି ବୋରଓ୍ବେଲ ପାଖକୁ ଯାଇଥିଲେ, ବୋରଓ୍ବେଲ ଭିତରୁ ନବଜାତ ଶିଶୁର କାନ୍ଦିବା ଶବ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଦମକଳବାହିନୀ ଓ ବ୍ଲକ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । କେହି ଜାଣିଶୁଣି ନବଜାତ ଶିଶୁଟିକୁ ବୋରଓ୍ବେଲ ଭିତରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ତେବେ କିଏ ଏବଂ କାହିଁକି ଫୋପାଡ଼ିଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସେପଟେ ନବଜାତକର କାନ୍ଦ ଶୁଭିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସ୍ଥାନୀୟ ଲୋକେ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଲୋକଙ୍କ ଗହଳି ଘଟଣାସ୍ଥଳରେ ଲାଗିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଛୁଆର କାନ୍ଦ ଜୋରରେ ଶୁଭୁଥିବାବେଳେ ଶୀଘ୍ର ଉଦ୍ଧାର ହେବେ ସେ ନେଇ ଚାଲିଛି କାର୍ଯ୍ୟ ।