ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ !

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଘୋଷଣା ପରେ ଏବେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଘୋଷଣା ହୋଇଛି  । ଅଗଷ୍ଟ ମାସ ୬ ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାର ସମ୍ଭାବନା ରହିଛି  । ଦେଶର ୧୬ତମ ଉପରାଷ୍ଟ୍ରପତି ପାଇଁ ନିର୍ବାଚନ ହେବ । ଏନେଇ ନିର୍ବାଚନ କମିଶନଙ୍କ ବୈଠକ ପରେ ସୂଚନା ମିଳିଛି । ତେବେ ଏନେଇ ଜୁଲାଇ ୫ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ  । ଜୁଲାଇ ୧୯ ଯାଏଁ ନାମାଙ୍କନ ପ୍ରକ୍ରିୟା ଚାଲିବ ବୋଲି ସୂଚନା ରହିଛି  ।

ଏହି ପଦ ପାଇଁ ଯଦି ପ୍ରାର୍ଥୀଙ୍କ ନିର୍ବିରୋଧ ନିର୍ବାଚନ ନହୁଏ ତେବେ ସେହିଦିନ ଭୋଟ ଗଣତି ମଧ୍ୟ ହେବ । ଉପରାଷ୍ଟ୍ରପତି ନିର୍ବାଚନରେ ଲୋକସଭା ଏବଂ ରାଜ୍ୟସଭା ସାଂସଦ ଭୋଟ ଦେଇଥାନ୍ତି  । ଦେଶର ବର୍ତ୍ତମାନ ଉପରାଷ୍ଟ୍ରପତି ଭେଙ୍କୟା ନାୟଡୁଙ୍କ କାର୍ଯ୍ୟକାଳ ୧୧ ଅଗଷ୍ଟରେ ଶେଷ ହେବାକୁ ଯାଉଛି  । ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଘୋଷଣା ହୋଇଥିଲା  । ଏନଡିଏ ପକ୍ଷରୁ ଆଦିବାସୀ ନେତ୍ରୀ ତଥା ପୂର୍ବତନ ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଛନ୍ତି  । ବିରୋଧୀଙ୍କ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି । ଆସନ୍ତା ୧୮ ତାରିଖରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ  । ୨୧ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।