ଭୁବନେଶ୍ୱର: ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୋଭିଡ ଲକ୍ଷଣ ଦେଖାଦେବାରୁ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିଛି । ସେ ଆସନ୍ତା ଏକ ସପ୍ତାହ ଆଇସୋଲେସନରେ ରହିବେ । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ତୁରନ୍ତ କୋଭିଡ ଟେଷ୍ଟ କରିବା ସହ କାରେଣ୍ଟାଇନରେ ରହିବାକୁ ଭେଙ୍କେୟା ପରାମର୍ଶ ଦେଇଛନ୍ତି । ଉପରାଷ୍ଟ୍ରପତିଙ୍କ ଟ୍ୱିଟର ହାଣ୍ଡଲରୁ ଏ ସୂଚନା ମିଳିଛି ।

ଉପରାଷ୍ଟ୍ରପତି ହାଇଦ୍ରାବାଦ ଗସ୍ତରେ ଅଛନ୍ତି । ରବିବାର ସେ ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜନ୍ମବାର୍ଷିକୀରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏ ଅବସରରେ ସେ କହିଥିଲେ ଯେ, ନେତାଜୀ ଦେଶମାତୃକା ପାଇଁ ଯେଉଁ ବଳିଦାନ ଦେଇଛନ୍ତି ତା’ର ପଟାନ୍ତର ନାହିଁ । ତାଙ୍କ ବୀରତ୍ୱ ଓ ତ୍ୟାଗ ପାଇଁ ସମଗ୍ର ଦେଶ ତାଙ୍କୁ ମନେ ରଖିଛି ଓ ରଖିବ । ପରାକ୍ରମ ଦିବସରେ ଦେଶବାସୀ ତାଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ, ଉପରାଷ୍ଟ୍ରପତି ଦ୍ୱିତୀୟ ଥର କୋଭିଡ ପଜିଟିଭ୍ ହୋଇଛନ୍ତି । ସେ ଆସନ୍ତା ସାଧାରଣତନ୍ତ୍ର ଦିବସ ସମାରୋହରେ ସାମିଲ ହୋଇପାରିବେନି । ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୩୩ ହଜାର ୫୩୩ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛି । ଏ ସମୟରେ ୫୨୫ ଜଣଙ୍କର ମୃତ୍ୟୁ ହୋଇଛି ।

Leave a Reply