ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଲେ ଜଗଦୀପ ଧନଖଡ

1 min read

ନୂଆଦିଲ୍ଲୀ : ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଉପରାଷ୍ଟ୍ରପତି ତଥା ରାଜ୍ଯସଭା ଅଧ୍ଯକ୍ଷ ଜଗଦୀପ ଧନଖଡଙ୍କ ଭର୍ତ୍ସନା । କାହିଁକି ଚାଷୀଙ୍କ ଦାବି ପୂରଣ କରାଯାଉନାହିଁ ଏବଂ କାହିଁକି ଚାଷୀଙ୍କ ସହ ଆଲୋଚନା କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଧନଖଡ । ଚାଷୀମାନେ ସମସ୍ୟା ଘେରରେ ରହିଛନ୍ତି । ଚାଷୀଙ୍କ ସମସ୍ଯା ପ୍ରତି ଦୃଷ୍ଟି ନଦେଲେ ନୀତି ନିର୍ଦ୍ଧାରଣ ପ୍ରଭାବିତ ହେବ । ସେମାନଙ୍କ କଥା ଅଗ୍ରାଧିକାର ଭିତ୍ତିରେ ବୁଝିବା ଲାଗି କେନ୍ଦ୍ର  ସରକାରଙ୍କୁ ସେ ଦେଇଛନ୍ତି ନିର୍ଦ୍ଦେଶ । ମୁମ୍ବାଇରେ ଆୟୋଜିତ ଏକ ସଭାରେ ଯୋଗଦେଇ ଧନଖଡ ଏହା କହିଥିଲେ । ସେହି ଏକାମଞ୍ଚରେ ଅଧିଷ୍ଠିତ ଥିଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ । ଏପରିକି ଚାଷୀଙ୍କ ସମସ୍ଯାର ସମାଧାନ ଲାଗି କିଛି ଲିଖିତ ପ୍ରତିଶ୍ରୁତି ଦିଆଯାଇଛି କି, ଯଦି ଦିଆଯାଇଛି ତେବେ ଏହାର କାର୍ଯ୍ୟକାରିତା ସମ୍ପର୍କରେ କିଛି ସୂଚନା ରହିଛି କି ବୋଲି ଚୌହ୍ବାନଙ୍କୁ ପ୍ରଶ୍ନ କରିଥିଲେ ଧନଖଡ । ଚାଷୀ ସମସ୍ଯା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । କୃଷକଙ୍କ ଧୈର୍ଯ୍ୟ ପରୀକ୍ଷା ଲାଗି ହେଉଥିବା ଚେଷ୍ଟାକୁ ବି ସେ ସମାଲୋଚନା କରିଥିଲେ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭାରତ ଏକୀକରଣ ନୀତିକୁ ଉପସ୍ଥାପନ କରି ଧନଖଡ କହିଥିଲେ- କୃଷକଙ୍କ ସମସ୍ଯା ପ୍ରତି ପ୍ରଥମେ ଅଗ୍ରାଧିକାର ଦିଆଯାଉ । ଭାରତର ଖ୍ଯାତି ସର୍ବଦା ଉଚ୍ଚରେ ରହିଛି । ତେବେ ଚାଷୀମାନେ କାହିଁକି ଦୁଃସ୍ଥିତି ମଧ୍ଯରେ ଗତି କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ଚୀଷୀଙ୍କ ପ୍ରତି କର୍ତ୍ତବ୍ଯରେ ଅବହେଳା ପ୍ରଦର୍ଶନ କଲେ ଏଥିଲାଗି ଅନେକ ମୂଲ୍ଯ ଦେବାକୁ ପଡିବ ବୋଲି ସେ ଚେତାଇଦେଇଛନ୍ତି । ମୁମ୍ବାଇରେ ଆୟୋଜିତ କେନ୍ଦ୍ରୀୟ କପା ପ୍ରଯୁକ୍ତି ସଂକ୍ରାନ୍ତ ଗବେଷଣା ପ୍ରତିଷ୍ଠାନ ବା ସିଆଇଆରସିଓଟର ଶତବାର୍ଷିକୀ ଉତ୍ସବର ଯୋଗ ଦେଇ ଏହା କହିଛନ୍ତି ଧନଖଡ । ଏମଏସପି ଓ ଅନ୍ଯାନ୍ଯ ପ୍ରସଙ୍ଗ ନେଇ ଗତ ଫେବୃଆରୀରୁ ଚାଷୀମାନେ ଆନ୍ଦୋଳନ କରୁଥିବାବେଳେ ଗତ ଆସନ୍ତା ୬ରେ ସେମାନେ ଦିଲ୍ଲୀ ଅଭିଯାନ ଲାଗି ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।

ନଜର ପକାନ୍ତୁ