ଉପରାଷ୍ଟ୍ରପତି ନିର୍ବାଚନ; ବିରୋଧୀଙ୍କ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ମାର୍ଗାରେଟ୍
ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ୟୁପିଏ ପ୍ରାର୍ଥୀ ମାର୍ଗାରେଟ ଆଲଭା । ଶେଷ ଦିନରେ ନାମାଙ୍କନ ଭରିଛନ୍ତି ମାର୍ଗାରେଟ । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖର୍ଗେ, ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଅନ୍ୟ ବିରୋଧୀଦଳ ନେତା ଉପସ୍ଥିତ ଥିଲେ ।
ମାର୍ଗାରେଟ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି । ଗତକାଲି ଧନଖଡ଼ ପ୍ରଧାନମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତାଙ୍କ ଗହଣରେ ଯାଇ ନାମାଙ୍କନ ଭରିଥିଲେ । କଂଗ୍ରେସର ବରିଷ୍ଠ ନେତ୍ରୀ ମାର୍ଗାରେଟ ଆଲଭା ପୂର୍ବରୁ ଗୋଆ, ଗୁଜୁରାଟ, ଏବଂ ଉତ୍ତରାଖଣ୍ଡ ରାଜ୍ୟପାଳ ଥିଲେ ।
ତାଙ୍କୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ବାମଦଳ, ଆରଜେଡି, ସମାଜବାଦୀ ପାର୍ଟି, ଏନସିପି ସମେତ ସମସ୍ତ ପ୍ରମୁଖ ବିରୋଧୀ ଦଳର ନେତା ଏକାଠି ହୋଇ ପ୍ରାର୍ଥୀ କରିଛନ୍ତିି । ବର୍ତ୍ତମାନ ଉପ ରାଷ୍ଟ୍ରପତି ଥିବା ଏମ୍ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୧୦ରେ ଶେଷ ହେଉଛି । ଏହା ପୂର୍ବରୁ ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ଅନ୍ୟପକ୍ଷରେ ଗତକାଲି ରାଷ୍ଟ୍ରପତି ନେଇ ନିର୍ବାଚନ ଶେଷ ହୋଇଛି ।