ସରିଲା ଉପରାଷ୍ଟ୍ରପତି ନିର୍ବାଚନ: ବିଜୟ ଦ୍ୱାରରେ ଏନଡିଏ ପ୍ରାର୍ଥୀ ଜଗଦୀପ

ନୂଆଦିଲ୍ଲୀ: ସରିଲା ଉପରାଷ୍ଟ୍ରପତି ନିର୍ବାଚନ । ଦୁଇ ପ୍ରାର୍ଥୀଙ୍କ ଭାଗ୍ୟ ହୋଇଛି ସିଲ୍ । ଆଉ କିଛି ସମୟ ପରେ ଭୋଟ ଗଣତି ହେବ । ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏରୁ ଜଗଦୀପ ଧନଖଡ଼ ପ୍ରାର୍ଥୀ ହୋଇଥିବା ବେଳେ ମାର୍ଗାରେଟ୍ ଆଲଭା ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ତେବେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଏକ ପ୍ରକାର ନିର୍ବାଚନ ଜିତିବା ନେଇ ସ୍ପଷ୍ଟ ହୋଇ ସାରିଛି । କାରଣ ଏକାକି ବିଜେପି ପାଖରେ ବହୁମତ ଠୁ ଅଧିକ ଭୋଟ ରହିଛି । ଆଜି ହିଁ ଭୋଟ ଗଣତି ହେବା ସହ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ । ଆସନ୍ତା ୧୦ ତାରିଖରେ ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା ଭେଙ୍କୟା ନାଇଡୁଙ୍କ କାର୍ଯ୍ୟାକାଳ ଶେଷ ହେବାକୁ ଯାଉଛି । ୧୦ ତାରିଖରେ ହିଁ ନବ ନିର୍ବାଚିତ ଉପରାଷ୍ଟ୍ରପତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ ଶ୍ରୀ ନାଇଡୁ ।

ସୂଚନା ଥାଉଖି ଉପରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟସଭା ସାଂସଦ ଓ ଲୋକସଭା ସାଂସଦମାନେ ଭୋଟ୍ ଦେଇଥାନ୍ତି । ୫୪୩ ଆସନ ବିଶିଷ୍ଟ ଲୋକସଭାରେ ଏନଡିଏ ସଦସ୍ୟ ସଂଖ୍ୟା ୩୪୯ ହୋଇଥିବାବେଳେ ଲୋକସଭାରେ ୟୁପିଏ ସଦସ୍ୟ ସଂଖ୍ୟା ମାତ୍ର ୯୧ ରହିଛି । ୨୩୭ ଆସନ ବିଶିଷ୍ଟ ରାଜ୍ୟସଭାରେ ଏନଡିଏ ସଦସ୍ୟ ସଂଖ୍ୟା ୧୧୩ ହୋଇଥିବାବେଳେ ୟୁପିଏ ସଦସ୍ୟ ସଂଖ୍ୟା ରହିଛି ୫୦ । ୨୦୧୯ରୁ ୨୦୨୨ ପଶ୍ଚିମବଙ୍ଗର ରାଜ୍ୟପାଳ ଥିବା ଧନଖଡ଼ ଅତୀତରେ ସାଂସଦ ଓ ବିଧାୟକ ଥିଲେ ।

ସେପଟେ ବିରୋଧୀ ଦଳ ପ୍ରାର୍ଥୀ ଅତୀତରେ କର୍ଣ୍ଣାଟକରୁ ରାଜ୍ୟସଭା ସାଂସଦ ଥିବାବେଳେ କେନ୍ଦ୍ରମନ୍ତ୍ରୀ ଥିଲେ । ସେ ମଧ୍ୟ ରାଜସ୍ଥାନ, ଉତ୍ତରାଖଣ୍ଡ, ଗୁଜରାଟ ଓ ଗୋଆର ରାଜ୍ୟପାଳ ଥିଲେ । ଗଣିତ କହୁଛି ଏନଡିଏ ପ୍ରାର୍ଥୀ ଧନଖଡ଼ ବହୁ ଭୋଟରେ ବିଜୟ ଲାଭ କରିବେ । ଜିତିବା ଲାଗି ୩୭୨ ଭୋଟ ଆବଶ୍ୟକ ଥିବାବେଳେ ସେ ୫୨୭ ଭୋଟ ପାଇବା ନେଇ ଆଶାର ରଖାଯାଇଛି ।

ଯଦି ସେ ଏହି ସଂଖ୍ୟକ ଭୋଟ ପାଆନ୍ତି ତେବେ ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟାନାଇଡୁଙ୍କୁ ଠାରୁ ୨ ପ୍ରତିଶତ ଅଧିକ ଭୋଟ ପାଇବେ । ବର୍ତ୍ତମାନର ଆକଳନ ଅନୁସାରେ ଇଲେକ୍ଟ୍ରୋରାଲ କଲେଜର ସଦସ୍ୟ ସଂଖ୍ୟା ରହିଛି ୭୮୦ । ରାଜ୍ୟସଭାରେ ଖାଲି ପଡିଛି ୮ ଆସନ । ତୃଣମୂଳ କଂଗ୍ରେସର ୩୬ ଜଣ ସାଂସଦ ଭୋଟଦାନରୁ ବିରତ ରହିଛନ୍ତି ।

ଏନଡିଏରେ ନଥାଇ ସୁଦ୍ଧା ଧନଖଡଙ୍କୁ ସମର୍ଥନ କରୁଛନ୍ତି ବିଜେଡି, ଓ୍ବାଇଏସଆର କଂଗ୍ରେସ, ବହୁଜନ ସମାଜ ପାର୍ଟି, ତେଲଗୁ ଦେଶମ ପାର୍ଟି, ଅକାଳି ଦଳ ଓ ଏକନାଥ ସିନ୍ଦେ ନେତୃତ୍ବାଧୀନ ଶିବସେନାର ବିଭାଜିତ ଗୋଷ୍ଠୀ । ଏସମସ୍ତ ଦଳର ସାଂସଦଙ୍କ ସଂଖ୍ୟା ରହିଛି ୮୧ । ବିରୋଧୀ ଦଳ ପ୍ରାର୍ଥୀ ଆଲଭା ପ୍ରାୟ ୨୦୦ ଭୋଟ ପାଇବା ଆକଳନ କରାଯାଉଛି । ତାଙ୍କୁ ସମର୍ଥନ କରୁଛନ୍ତି କଂଗ୍ରେସ, ଡିଏମକେ, ଆରଜେଡି, ଏନସିପି, ସମାଜବାଦୀ ପାର୍ଟି ଓ ବାମପନ୍ଥୀ ଦଳ । ଏହା ସହ ଟିଆରଏସ, ଜେଏମଏମ, ଆପ୍, ଶିବସେନା ମଧ୍ୟ ଆଲଭାଙ୍କୁ ସମର୍ଥନ କରୁଛନ୍ତି ।