ପୌର ଉପାଧ୍ୟକ୍ଷ ନିର୍ବାଚନ: ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେଡି ଖାତାକୁ ଯିବ ୯୦ପ୍ରତିଶତ ଆସନ

ଭୁବନେଶ୍ୱର: ଆସନ୍ତା ୭ ତାରିଖରେ ପୌର ଉପାଧ୍ୟକ୍ଷ ନିର୍ବାଚନ । ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ୯୦ ପ୍ରତିଶତ ପୌରାଞ୍ଚଳରେ ବିଜେଡିର ଉପାଧ୍ୟକ୍ଷ ହେବା ନିଶ୍ଚିତ । ବାକି ୧୦ ପ୍ରତିଶତ ପୌରାଞ୍ଚଳରେ ସ୍ୱାଧୀନ କାଉନସିଲର ନିର୍ଣ୍ଣାୟକ ହେବାକୁ ଯାଉଛନ୍ତି । ଏହା ମଧ୍ୟରେ ବିଜେଡି ଆଡ଼କୁ ଅଧିକ ସ୍ୱାଧୀନ କାଉନସିଲର ଢଳିଥିବାରୁ ଅଧିକ ଉପାଧ୍ୟକ୍ଷ ପାଇ ଦଳ ବାଜିମାତ କରିବାକୁ ଯାଉଛି । ଚିନ୍ତାରେ ପଡ଼ିଛି ବିଜେପି । ସେପଟେ ନିର୍ବାଚନ ପୂର୍ବରୁ ହିଁ ହାତ ଟେକି ଦେଇଛି କଂଗ୍ରେସ ।

୧୦୫ ଏନଏସି ଓ ପୌର ପରିଷଦ ଏବଂ ୩ ମହାନଗର ନିଗମରେ ମେୟର ଓ ଅଧ୍ୟକ୍ଷ ନିର୍ବାଚନ ସରିଛି । ଆସନ୍ତା ୭ ତାରିଖରେ ହେବ ଡେପୁଟି ମେୟର ଓ ଉପାଧ୍ୟକ୍ଷ ନିର୍ବାଚନ । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗରରେ ବିଜେଡିର ଅଧିକ କର୍ପୋରେଟର ଥିବାରୁ ଡେପୁଟି ମେୟର ମଧ୍ୟ ଏହି ଦଳ ପାଇବ। ମୋଟ୍‌ ୯୦ ପ୍ରତିଶତ ପୌରାଞ୍ଚଳରେ ବିଜେଡି ସଂଖ୍ୟା ଗରିଷ୍ଠତା ଥିବାରୁ ଏସବୁ ସ୍ଥାନରେ ମଧ୍ୟ ଦଳ ଉପାଧ୍ୟକ୍ଷ ପାଇବ । ଅବଶିଷ୍ଟ ୧୦ ପ୍ରତିଶତ ପୌରାଞ୍ଚଳରେ ସ୍ୱାଧୀନ କାଉନସିଲର ନିର୍ଣ୍ଣାୟକ ହେବେ । ଏହା ମଧ୍ୟରେ ଅଧିକାଂଶ ସ୍ଥାନରେ ସ୍ୱାଧୀନ କାଉନସିଲରମାନେ ବିଜେଡି ଶିବିରରେ ପହଞ୍ଚି ସାରିଲେଣି ।

ବହୁ ସ୍ୱାଧୀନ କାଉନସିଲର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ପାଇଁ ବିଜେଡିକୁ ବାଛିଛନ୍ତି । କିଛି କାଉନସିଲର ବିଜେଡି ଟିକେଟ ନପାଇ ସ୍ୱାଧୀନ ଭାବେ ଜିତିଛନ୍ତି । ସେମାନଙ୍କର ଘର ବାହୁଡ଼ା ହେବାରେ ଲାଗିଛି । ଏଥିପାଇଁ ବିଜେଡି ବହୁ ସଂଖ୍ୟାରେ ଉପାଧ୍ୟକ୍ଷ ପଦ ପାଇବାର ସମ୍ଭାବନା ଅଛି । କିଛି ସ୍ଥାନରେ ବିଜେଡି ଶିବିରକୁ ଆସିଥିବା ସ୍ୱାଧୀନ କାଉନସିଲର ଉପାଧ୍ୟକ୍ଷ ହୋଇପାରନ୍ତି

ସ୍ୱାଧୀନ କାଉନସିଲରଙ୍କ ବିଜେଡି ପ୍ରୀତି ଉଭୟ ବିଜେପି ଓ କଂଗ୍ରେସକୁ ବ୍ୟାକଫୁଟକୁ ନେଇଯାଇଛି । ଯେଉଁଠି ବିରୋଧୀ ସାମାନ୍ୟ ଅଧିକ ସିଟ୍ ପାଇଛନ୍ତି, ସେଠାରେ ମଧ୍ୟ ସ୍ୱାଧୀନାଙ୍କ  ଭୂମିକା ଯୋଗୁ ବିଜେପି ଓ କଂଗ୍ରେସ ଚିନ୍ତାରେ ପଡ଼ିଛନ୍ତି । କଂଗ୍ରେସ ସବୁଠାରେ ପ୍ରାର୍ଥୀ ନଦେବା ସତ୍ତ୍ୱେ କିଛି ସ୍ଥାନରେ ଭଲ କରିଛି । କିନ୍ତୁ ଆତ୍ମବିଶ୍ୱାସର ଏତେ ଅଭାବ ଯେ ଦଳ ଉପାଧ୍ୟକ୍ଷ ନିର୍ବାଚନରୁ ଦୂରେଇ ରହିବାକୁ ଘୋଷଣା କରିଛି । ଅଧ୍ୟକ୍ଷ ଓ ମେୟର ପ୍ରତ୍ୟକ୍ଷ ଭାବେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଛନ୍ତି । କିନ୍ତୁ ଉପାଧ୍ୟକ୍ଷଙ୍କୁ ନିଜ ଟିମ୍‌ ସଭ୍ୟ ହିଁ ଭରସା । ଏହି ମ୍ୟାଜିକ୍ ନମ୍ବର ଲଢ଼େଇରେ ସ୍ୱାଧୀନଙ୍କ ସର୍ପରାଇଜ୍ ଏଣ୍ଟ୍ରି ଅନେକଙ୍କ ପାଇଁ ଲାଇଫଲାଇନ୍ ପାଲଟିପାରେ ।