ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ଯାଜପୁରର ଅଧିଷ୍ଠାତ୍ରୀ ମା’ ବିରଜାଙ୍କ ପୀଠ : ଘଣ୍ଟଘଣ୍ଟାରେ କମ୍ପୁଛି ପରିବେଶ

ନନ୍ଦିଘୋଷ ବ୍ୟୁରୋ : ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ବିରଜା କ୍ଷେତ୍ର । ମାଆଙ୍କ ପୀଠରେ ଷୋଡଶ ଉପଚାର ପୂଜା ଚାଲିଥିବା ବେଳେ ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ମାଆଙ୍କ ଶୃଙ୍ଖଳିତ ଦର୍ଶନ ଓ ନୀତିକାନ୍ତି ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେପଟେ ମାଆଙ୍କ ରଥଯାତ୍ରା ପାଇଁ ରଥଖଳାରେ ଜୋରଦାର ଚାଲିଛି ରଥ ନିର୍ମାଣ । ଅମାବାସ୍ୟା ପ୍ରତିପଦା ଠାରୁ ଆରମ୍ଭ ହେବ ମାଆଙ୍କ ରଥଯାତ୍ରା ।
ମାଆଙ୍କ ଆଗମନ ପାଇଁ ଚଳଚଞ୍ଚଳ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠ । ଲାଗୁଛି ଭକ୍ତଙ୍କ ଗହଳି । ଘଣ୍ଟଘଣ୍ଟାରେ କମ୍ପୁଛି ପରିବେଶ । ଧୂପଦୀପ ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ । ଆଶ୍ୱିନ ମାସ କୃଷ୍ଣାଷ୍ଟମୀ ଦୂତିବାହାନ ଓଷା ଠାରୁ ମା ବିରଜାଙ୍କ ଷୋଳ ଦିନାତ୍ମକ ପୂଜା ଆରମ୍ଭ ହୋଇଛି । ପିତୃପକ୍ଷ ଚାଲିଥିବାରୁ ନାଭିଗୟାରେ ପିଣ୍ଡଦାନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ସେପଟେ ମାଙ୍କ ରଥଯାତ୍ରା ପାଇଁ ରଥଖଳାରେ ଜୋରଦାର ଚାଲିଛି ରଥ ନିର୍ମାଣ କାମ ।
ମାଆ ବିରଜାଙ୍କ ପୀଠରେ ନବରାତ୍ର ସମୟରେ ରଥଯାତ୍ରା ଆରମ୍ଭ ହୁଏ । ପ୍ରତିବର୍ଷ ମହାଳୟା ଅମାବାସ୍ୟା ପ୍ରତିପଦା ଠାରୁ ମାଆଙ୍କ ନବଦିନାତ୍ମକ ରଥଯାତ୍ରା ଆରମ୍ଭ ହୁଏ । ପ୍ରତିପଦାଠାରୁ ମାଆଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରାଯାଏ । ୯ ଦିନ ଧରି ମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା କରନ୍ତି ମାଆ । ଏଭଳି ବିରଳ ପରମ୍ପରା ଅନ୍ୟ କୌଣସି ଶକ୍ତି ପୀଠରେ ଦେଖିବାକୁ ମିଳୁନଥିବାରୁ ମାଆଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ । ଚଳିତ ବର୍ଷ ରଥଯାତ୍ରା ଓ ନବରାତ୍ର ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି । ମାଆଙ୍କ ପୀଠରେ ଚାଲିଥିବା ସ୍ୱତନ୍ତ୍ର ପୂଜା ଓ ରଥଯାତ୍ରା ଆୟୋଜନ ପାଇଁ ସମଗ୍ର ଅଂଚଳରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ ।