ଅଭିନୟ ସାରି ଅଫେରା ରାଜ୍ୟକୁ ଫେରିଗଲେ ‘ପଳାତକ’

ଭୁବନେଶ୍ବର : ବର୍ଷିଆନ ଅଭିନେତା ତଥା ୧୯୮୦ ଦଶକରେ ୱାନ୍ ମ୍ୟାନ୍ ଇଣ୍ଡଷ୍ଟ୍ରି ଭାବେ ପରିଚିତ ଉତ୍ତମ ମହାନ୍ତିଙ୍କର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ୨୩ ଡିସେମ୍ବର ୧୯୫୮ ମସିହାରେ ବାରିପଦାରେ ଜନ୍ମିତ ଉତ୍ତମ ମହାନ୍ତି ଦୀର୍ଘ ୪ ଦଶକରୁ ଉର୍ଦ୍ଧ୍ୱ ସମୟ ଧରି ଓଡିଆ ସିନେମା ଜଗତରେ ସକ୍ରୀୟ ଥିଲେ ।

ଚାର୍ଟାଡ୍ ଆକାଉଣ୍ଟାଣ୍ଟରୁ ଷ୍ଟାର

ବାରିପଦାର ଏମ.କେ.ସି ହାଇସ୍କୁଲରୁ ସ୍କୁଲ ଶିକ୍ଷା ସମାପ୍ତି ପରେ ଉତ୍ତମ ମହାନ୍ତି ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜରୁ ବିଜ୍ଞାନରେ ଇଣ୍ଟରମେଡିଏଟ୍ ପାସ୍ କରିଥିଲେ । ଏହାପରେ ସେ ପଂଜାବର ଲୁଧିଆନରେ ଚାର୍ଟାଡ୍ ଆକାଉଣ୍ଟାନ୍ସି ପଢ଼ିବାକୁ ଚାଲିଯାଇଥିଲେ । ସେଠାରୁ ଫେରିବା ପରେ ସେ ନିଜ ବଡ଼ ଭାଇଙ୍କ ସହ କୋଲକତାରେ କିଛି ଦିନ ରହିଥିଲେ । ଏହି ସମୟରେ ସେ ସେଠାର ଗୋଟିଏ ଚାର୍ଟାଡ୍ ଆକାଉଣ୍ଟିଂ ଫାର୍ମରେ କିଛି ଦିନ କାର୍ଯ୍ୟ କରିଥିଲେ । କୋଲକତାରେ ଥିବା ବେଳେ ବାରିପଦାରୁ ‘ଅଭିମାନ’ ନାମକ ଫିଲ୍ ତିଆରି ହେଉଥିବା ଖବର ପାଇ ସେ ନିଜ ଗୃହ ନଗରକୁ ଭାଗ୍ୟ ପରୀକ୍ଷା ପାଇଁ ଫେରିଥିଲେ ।

ପ୍ରଥମ ଫିଲ୍ମ ‘ଅଭିମାନ’
ଅଭିମାନର ନିର୍ଦ୍ଦେଶକ ସାଧୁ ମେହର ଅନେକଙ୍କ ମଧ୍ୟରୁ ଉତ୍ତମଙ୍କୁ ଅଭିମାନରେ ମୁଖ୍ୟ ଭୂମିକା ପାଇଁ ଚୟନ କରିଥିଲେ । ପ୍ରଥମ ଦିନର ସୁଟିଂ ପାଇଁ ଉତ୍ତମ ସଜବାଜ ହୋଇ ସେଟ୍ କୁ ଯାଇଥିଲେ । କିନ୍ତୁ ସାଧୁ ମେହେର ତାଙ୍କୁ ପୁଣି ମେକଅପ୍ ନେବାକୁ କହିଥିଲେ । ଉତ୍ତମଙ୍କୁ ଜଣେ ଗରିବ ବ୍ୟକ୍ତିର ଗେଟଅପ୍ ନେବାକୁ କୁହାଯାଇଥିଲା । ଫିଲ୍ମ ରିଲିଜ୍ ହେବା ପରେ ହିଟ୍ ସାବ୍ୟସ୍ତ ହୋଇଥିଲା । ଏହାପରେ ଉତ୍ତମ ଆଉ ପଛକୁ ଫେରି ଚାହିଁନଥିଲେ ।

୧୩୫ ଓଡ଼ିଆ ଫିଲ୍ମ,୩୦ ବଂଗଳା ଓ ଗୋଟିଏ ହିନ୍ଦି ଫିଲ୍ମ

ଉତ୍ତମ ମହାନ୍ତି ନିଜର ୪ ଦଶକରୁ ଅଧିକ କ୍ୟାରିୟରରେ ୧୩୫ ଓଡ଼ିଆ ଫିଲ୍ମରେ ଅଭିନୟ କରିଥିଲେ । ସେ ମଧ୍ୟ ୩୦ ଟି ବଂଗଳା ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ନୟା ଜହର ନାମକ ହିନ୍ଦି ଫିଲ୍ମରେ ସେ ଶତାବ୍ଦୀ ରାୟଙ୍କ ବିରୋଧରେ ନଜର ଆସିଥିଲେ ।

ଉତ୍ତମ ମାନେ ସୁପରହିଟର ଗ୍ୟାରେଣ୍ଟି

୧୯୮୦ରୁ ୧୯୯୦ର ମଧ୍ୟ ଭାଗ ପର୍ଯ୍ୟନ୍ତ ଓଡ଼ିଆ ବକ୍ସ ଅଫିସରେ ଉତ୍ତମ ମହାନ୍ତିଙ୍କ ରାଜ୍ ଥିଲା । ଯେଉଁ ସମୟରେ ଓଡ଼ିଆ ଫିଲ୍ମ ବ୍ୟବସାୟିକ ଭାବେ ଅସଫଳ ହେଉଥିଲା,ସେହି ସମୟରେ ଉତ୍ତମ ଏକ ରକମ ଓଡ଼ିଆ ସିନେମାର ସାହରା ଭାବେ ଉଭା ହୋଇଥିଲେ । ଅନେକ ପ୍ରଯୋଜକ,ନିର୍ଦ୍ଦେଶକ ତାଙ୍କୁ ୱାନ୍ ମ୍ୟାନ୍ ଇଣ୍ଡଷ୍ଟ୍ରୀ ବୋଲି ମଧ୍ୟ କହୁଥିଲେ । ୧୯୯୫ ପରେ ସେ ଚରିତ୍ର ଅଭିନେତା କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ କିଛି ଟେଲି ସିରିୟଲରେ ମଧ୍ୟ ଅଭିନୟ କରିଥିଲେ । କଥା କହୁଥିଲେ ସରିବନି,ପଣତକାନୀ ଓ ସାରା ଆକାଶ ଭଳି ସିରିଏଲ ମାଧ୍ୟମରେ ସେ ତାଙ୍କ ଅଭିନୟର ଦ୍ୱିତୀୟ ପାଳି ଆରମ୍ଭ କରିଥିଲେ ।

ପାରିବାରିକ ଜୀବନ
୧୯୮୭ ମସିହାରେ ଅଭିନେତ୍ରୀ ଅପରାଜିତାଙ୍କୁ ସେ ବିବାହ କରିଥିଲେ । ଅଭିନେତା ବାବୁ ସାନ୍ ହେଉଛନ୍ତି ଉତ୍ତମଙ୍କ ପୁଅ । ଅପରାଜିତାଙ୍କ ସହିତ ଉତ୍ତମ ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ ।