ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ ଉପପ୍ରଧାନମନ୍ତ୍ରୀ  ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ସ୍ବାସ୍ଥ୍ଯବସ୍ଥା ବିଗିଡ଼ିବାରୁ ଗତକାଲି ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ହସ୍ପିଟାଲର ଜେରିଆଟିକ ବିଭାଗରେ ତାଙ୍କୁ ଅବଜର୍ଭବେସନରେ ରଖାଯାଇଛି । ସ୍ବାସ୍ଥ୍ଯ ବିଶେଷଜ୍ଞମାନେ ତାଙ୍କ ସ୍ବାସ୍ଥ୍ଯବସ୍ଥାକୁ ଅହରହ ଯାଞ୍ଚ କରୁଛନ୍ତି ।

ତେବେ ଭାରତୀୟ ରାଜନୀତିର ଜଣେ ପରିଚିତ ଚେହେରା ଲାଲକୃଷ୍ଣ ଆଡଭାନୀ । ସାମ୍ବାଦିକତାରୁ ସଂଘ, ସଂଗଠନରୁ ସକ୍ରୀୟ ରାଜନୀତିର ସେ ଅଭୁଲା ଚେହେରା। ନଭେମ୍ବର ୮ ତାରିଖ ୧୯୨୭ ମସିହାରେ ପାକିସ୍ତାନର କରାଚୀରେ ସେ ଜନ୍ମଗ୍ରହଣ କରିଥିଲେ ।  ୧୯୭୦ରେ ପ୍ରଥମଥର ଲାଗି ଦିଲ୍ଲୀରୁ ସଂସଦର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଆଡଭାନୀ। ସେ ଲୋକସଭାକୁ ୫ ଥର ଓ•ରାଜ୍ୟସଭାରେ ୪ ଥର ସାଂସଦ ଭାବେ କାର୍ଯ୍ୟ ତୁଲାଇଛନ୍ତି। ୨୦୦୨ ଜୁନରୁ ୨୦୦୪ ମସିହା ମେ’ ମାସ ପର୍ଯ୍ୟନ୍ତ ସେ ଉପପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ତାଙ୍କର ସଂସଦୀୟ କାର୍ଯ୍ୟ ସର୍ବଦା ଅନୁକରଣୀୟ ଏବଂ ସମୃଦ୍ଧିରେ ଭରପୁର ରହିଛି।  ୩ ଥର ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ପଦରେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି। ଚଳିତବର୍ଷ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଛି ।