ଆରପାରିରେ ପ୍ରତିଷ୍ଠିତ ସାମ୍ବାଦିକ ପଦ୍ମଶ୍ରୀ ବିନୋଦ ଦୁଆ

ନୂଆଦିଲ୍ଲୀ: ପରଲୋକରେ କିମ୍ବଦନ୍ତୀ ସାମ୍ବାଦିକ ପଦ୍ମଶ୍ରୀ ବିନୋଦ ଦୁଆ । ୬୭ ବର୍ଷରେ ଆଖିବୁଜିଛନ୍ତି ଦେଶର ପରିଚିତ ଓ ପ୍ରତିଷ୍ଠିତ ସାମ୍ବାଦିକ ବିନୋଦ ଦୁଆ । ୧୯୫୪ ମାର୍ଚ୍ଚ ୧୧ରେ ଜନ୍ମଗ୍ରହଣ କରିଥିଲେ ବିନୋଦ । ଦୂରଦର୍ଶନ ଓ ଏନଡିଟିଭି ଇଣ୍ଡିଆରେ କାର୍ଯ୍ୟ କରି ସେ ଦେଶରେ ଜଣେ ଚର୍ଚ୍ଚିତ ସାମ୍ବାଦିକ ଭାବେ ଖ୍ୟାତି ଅର୍ଜନ କରିଥିଲେ । ୧୯୯୬ରେ ତାଙ୍କୁ ପ୍ରଖ୍ୟାତ ରାମନାଥ ଗୋଏଙ୍କା ଉତ୍କର୍ଷ ସାମ୍ବାଦିକତା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ସହ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ୨୦୦୮ରେ ପଦ୍ମଶ୍ରୀ ଉପାଧି ପ୍ରଦାନ କରାଯାଇଥିଲା ।

ଜୀବନବ୍ୟାପୀ ସାଧାନା ଲାଗି ତାଙ୍କୁ ମୁମ୍ବାଇ ପ୍ରେସ କ୍ଲବ ପକ୍ଷରୁ ରେଡଲିଙ୍କ ସମ୍ମାନରେ ବିଭୂଷିତ କରାଯାଇଥିଲା । ଦିଲ୍ଲୀରେ ବାଲ୍ୟ ଜୀବନ କଟାଇଥିବା ବିନୋଦ ଅନେକ ସଂଗ୍ରାମ ଦେଇ ସାମ୍ବାଦିକତା କ୍ଷେତ୍ରରେ ସୁନାମ ସାଉଣ୍ଟିଥିଲେ । ସେ କେତେକ ସାମାଜିକ ଆନ୍ଦୋଳନ ସହ ମଧ୍ୟ ଜଡ଼ିତ ଥିଲେ । ଦୂରଦର୍ଶନରେ ପ୍ରଥମ ଥର ଲାଗି ସେ ୧୯୭୪ରେ ଏକ ଯୁବ କାର୍ଯ୍ୟକ୍ରମରେ ଆସି ପରିଚିତି ଲାଭ କରିଥିଲେ । ପରେ ସେ ଅମୃତସର ଟିଭିରେ ଯୋଗ ଦେଇଥିଲେ । ୧୯୮୪ରେ ସେ ପ୍ରଣୟ ରୟଙ୍କ ସହ ମିଶି ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ସାମ୍ପ୍ରତିକ ରାଜନୀତିର ଜଣେ ବିଚକ୍ଷଣ ବିଶେଷଜ୍ଞ ଭାବେ ସବୁ ଦଳ ନିକଟରେ ପରିଚିତ ଥିଲେ ବିନୋଦ ଦୁଆ । ଦେଶର ଅଧିକାଂଶ ଟିଭି ଚାନେଲ ସହ ତାଙ୍କର ସମ୍ପର୍କ ରହିଥିଲା । ଏନଡିଟିଭିର ବହୁଚର୍ଚ୍ଚିତ ଜାଇକା ଇଣ୍ଡିଆ କା କାର୍ଯ୍ୟକ୍ରମ କରି ଚର୍ଚ୍ଚିତ ଥିଲେ । କେବଳ ସାମ୍ବାଦିକତା କ୍ଷେତ୍ରରେ ତାଙ୍କ ପ୍ରସିଦ୍ଧି ରହିନଥିଲା  । ଏହା ସହିତ ସମାଜସେବା ଓ ସାମାଜିକ ଆନ୍ଦୋଳନରେ ମଧ୍ୟ ବିନୋଦ ଦୁଆଙ୍କ ଥିଲା ବଡ଼ ଭୂମିକା  । ଉଲ୍ଲେଖଯୋଗ୍ୟ ଗତ ଜୁନ ମାସରେ ବିନୋଦ ଦୁଆ ତାଙ୍କ ପତ୍ନୀଙ୍କୁ ହରାଇଥିଲେ  । କୋଭିଡ ସଂକ୍ରମିତ ହୋଇ ସେ ଗତ କିଛିଦିନ ହେବ ଚିକିତ୍ସାଧିନ ଥିଲେ  ।  ରବିବାର ତାଙ୍କର ଅନ୍ତିମ ସତ୍କାର ହେବା ନେଇ ଝିଅ ମଲ୍ଲିକା ଦୁଆ ସୂଚନା ଦେଇଛନ୍ତି  ।

Leave a Reply