ଋଷି କପୁରଙ୍କ ପାକ୍ କନେକ୍ସନ୍, ପାକିସ୍ତାନରେ ଅଛି କପୁର ପରିବାରର ୧୦୨ ବର୍ଷ ପୁରୁଣା ମହଲ…
1 min readମୁମ୍ବାଇ: ମହାନ ଅଭିନେତା ଋିଷି କପୁର ଆଉ ଆମ ଗହଣରେ ନାହାଁନ୍ତି । ୬୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ତେବେ ସେ ଯେଉଁ ପରିବାରରେ ଜନ୍ମଗ୍ରହଣ କରିଥିଲେ, ସେହି ପରିବାରର ରକ୍ତରେ ଅଭିନୟ ଦୌଡ଼ୁଛି ବୋଲି କୁହାଯାଏ । ଯଦିଓ ଋିଷି କପୁର ଦୁନିଆରୁ ବିଦାୟ ନେଇସାରିଛନ୍ତି, କିନ୍ତୁ ତାଙ୍କ ସହ ଜଡିତ ସମସ୍ତ ସ୍ମୃତି ଏବଂ କିଛି ଐତିହ୍ୟ ସର୍ବଦା ଜୀବନ୍ତ ରହିବ । ସେଥିମଧ୍ୟରୁ ପାକିସ୍ତାନର ପେଶୱାର ସହରସ୍ଥିତ ‘କପୁର ହାଭେଲି’ ହେଉଛି ଅନ୍ୟତମ । ଆସନ୍ତୁ ଜାଣିବା ଏହି ମହଲ ବିଷୟରେ । କ’ଣ ରହିଛି ଏହାର ଇତିହାସ ।
ଭାରତୀୟ ସିନେମାର ଶୋମ୍ୟାନ୍ କୁହାଯାଉଥିବା ପୃଥ୍ୱୀରାଜ କପୁର ପାକିସ୍ତାନର ଏହି ପୈତୃକ ମହଲରେ ଜନ୍ମଗ୍ରହଣ କରିଥିଲେ । ଏହି ମହଲ ‘କପୁର ହଭେଲି’ ଭାବେ ଜଣାଶୁଣା । ଏହି ମହଲଟି ପେଶାଓ୍ୱରର କିସା ଖୱାନୀ ବଜାରରେ ଅବସ୍ଥିତ । ଋିଷି କପୁରଙ୍କ ପିତା ରାଜ କପୁର ମଧ୍ୟ ଏଠାରେ ଜନ୍ମଗ୍ରହଣ କରିଥିଲେ ।
୨୦୧୮ ମସିହାରେ ଋିଷି କପୁର ତାଙ୍କ ପୈତୃକ ମହଲକୁ ସଂଗ୍ରହାଳୟରେ ପରିଣତ କରିବାକୁ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଥିଲେ । ଏହା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି ତାଙ୍କ ଅନୁରୋଧ ଗ୍ରହଣ କରିଥିଲେ ।
ଭାରତ ଏବଂ ପାକିସ୍ତାନର ବିଭାଜନ ପୂର୍ବରୁ କପୁର ହାଭେଲି ନିର୍ମାଣ କରାଯାଇଥିଲା । ମହଲଟି ୧୯୧୮ ରୁ ୧୯୨୨ ମଧ୍ୟରେ ନିର୍ମିତ ହୋଇଥିଲା । ଏହାକୁ ରାଜ କପୁରଙ୍କ ଜେଜେବାପା ତଥା ପୃଥ୍ୱୀରାଜ କପୁରଙ୍କ ପିତା ଦେୱାନ ବିଶେଶ୍ୱରନାଥ ନିର୍ମାଣ କରିଥିଲେ । ସେବେଠାରୁ ଏହା ‘କପୁର ହାଭେଲି’ ଭାବେ ପରିଚିତ ।
୧୯୪୭ ମସିହାରେ ଇଣ୍ଡୋ-ପାକ୍ ବିଭାଜନ ପରେ କପୁର ପରିବାର ସେମାନଙ୍କ ପୈତୃକ ମହଲ ଛାଡି ମୁମ୍ବାଇ ଚାଲି ଆସିଥିଲେ । ଏହାପରେ ଏଠାରେ ସେ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲେ ।
୨୦୧୬ ମସିହାରେ, ଋିଷି କପୁର ସେହି ପୈତୃକ ମହଲର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ଲେଖାଥିଲା, “କେହି ଜଣେ ଏହାକୁ ମୋ ପାଖକୁ ପଠାଇଛନ୍ତି, ମୁଁ ଏବଂ ରାଣଧୀର ଏହି ମହଲ ବାହାରେ ଠିଆ ହୋଇଥିବା ଦେଖାଯାଉଛି ଏବଂ ଆମକୁ ସ୍ୱାଗତ କରାଯାଉଛି ।”
୨୦୧୭ ମସିହାରେ ଋିଷି ଏକ ଟୁଇଟ୍ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ “ମୋର ବୟସ ୬୫ ଛୁଇଁଲାଣି, ତେଣୁ ମୁଁ ମରିବା ପୂର୍ବରୁ ପାକିସ୍ତାନକୁ ଦେଖିବାକୁ ଚାହେଁ । ମୁଁ ଚାହେଁ ମୋର ପିଲାମାନେ ମଧ୍ୟ ସେମାନଙ୍କର ପୂର୍ବପିଢ଼ିର ସନ୍ତକ ଦେଖନ୍ତୁ । ମୋ ମନ ସ୍କାମନା ପୁରଣ କରନ୍ତୁ । ଜୟ ମାତା ଦି।”
୨୦ ବର୍ଷ ପୂର୍ବେ ଭୁମି କମ୍ପ କାରଣରୁ ହଭେଲିର ଉପର ଭାଗରେ ଫାଟ ସୃଷ୍ଟି ହୋଇଥିଲା । ତେଣୁ ଉପର ତିନିମହଲାକୁ ଭାଙ୍ଗି ଦିଆଯାଇଥିଲା । ଏହି ମହଲକୁ ଏବେ ବ୍ୟବସାୟୀକ ସଂସ୍ଥାମାନେ ଘେରି ରହିଛନ୍ତି ।