ବରିଷ୍ଠ ଅଭିନେତା ପଦ୍ମଶ୍ରୀ ସାଧୁ ମେହେରଙ୍କ ପରଲୋକ

ଭୁବନେଶ୍ବର: ବରିଷ୍ଠ ଅଭିନେତା ତଥା ଫିଲ୍ମ ନିର୍ଦ୍ଦେଶକ ପଦ୍ମଶ୍ରୀ ସାଧୁ ମେହେରଙ୍କ ପରଲୋକ । ୮୪ ବର୍ଷ ବୟସରେ ମୁମ୍ବାଇରେ ସାଧୁ ମେହେରଙ୍କ ପରଲୋକ । ସିନେମା ଜଗତକୁ ତାଙ୍କର ଅବଦାନ ପାଇଁ ୨୦୧୭ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମଶ୍ରୀ ସମ୍ମାନ ।

୩୮ଟି ଓଡ଼ିଆ ଫିଲ୍ମରେ ସେ ତାଙ୍କ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିଣିଛନ୍ତି । ସେହିପରି ୫ଟି ଫିଲ୍ମରେ ଦେଇଛନ୍ତି ନିର୍ଦ୍ଦେଶନା । ସାଧୁ ମେହେରଙ୍କ ପରଲୋକ ନେଇ ସୂଚନା ଦେଲେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ।

ଉଭୟ ହିନ୍ଦି ଓ ଓଡ଼ିଆ ଫିଲ୍ମରେ ଖ୍ୟାତି ଅର୍ଜନ କରିଛନ୍ତି ସାଧୁ ମେହେର । ଅଙ୍କୁର, ମୃଗୟା, ଭୁବନ, ସୋମ୍ ଓ ମନ୍ଥନ ଭଳି ଚଳଚ୍ଚିତ୍ରରେ ଛାଡି ଯାଇଛନ୍ତି ନିଖୁଣ ଅଭିନୟର ଛାପ ।

ଗୁଡଭେଲିପଦରରେ ଶୋକର ଛାୟା

ସାଧୁ ମେହେରଙ୍କର ଦେହାନ୍ତ ପରେ ତାଙ୍କ ପୈତୃକ ଗାଁ ଗୁଡଭେଲିପଦରରେ ଶୋକର ଛାୟା ଖେଳି ଯାଇଛି । ୧୯୪୦ ମସିହା ଜାନୁଆରୀ ୧ ତାରିଖରେ ବୌଦ୍ଧ ଜିଲ୍ଲାର ଗୁଡଭେଲିପଦର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସାଧୁ ମେହେର । ତାଙ୍କ ପିତା ଜଣେ ବୁଣାକାର ଥିଲେ । ସୋନପୁର ସହରରେ ସେ ନିଜର ବିଦ୍ୟାଳୟ ଶିକ୍ଷା ଆରମ୍ଭ କରିଥିଲେ । ସ୍ନାତକ ଶିକ୍ଷା ପରେ ସେ ଅଭିନୟରେ ଡିପ୍ଲୋମା କରିବା ପାଇଁ କଲିକତାର ରବୀନ୍ଦ୍ର ଭାରତୀ ଯାଇଥିଲେ । ସେଠାରେ, ମଞ୍ଚ ଓ ସିନେମା ପ୍ରଭାବରେ ତାଙ୍କ ଜୀବନର ଗତିପଥ ପରିବର୍ତ୍ତନ ହୋଇଥିଲା । ଅନେକ ନାଟକ ଓ ୩୮ ଚଳଚିତ୍ରରେ ସେ ଅଭିନୟ କରିଥିଲେ ।