spot_img

Latest Posts

ସୁପରଷ୍ଟାର ମହେଶ ବାବୁଙ୍କ ପିତା କ୍ରିଷ୍ଣାଙ୍କ ଦେହାନ୍ତ

ହାଇଦ୍ରାବାଦ: ଭେଟେରାନ ତେଲୁଗୁ ଅଭିନେତା ତଥା ସୁପରଷ୍ଟାର ମହେଶ ବାବୁଙ୍କ ବାପା କ୍ରିଷ୍ଣାଙ୍କର ଦେହାନ୍ତ ହୋଇଛି । ଏକ ଘରୋଇ ସୁପର ସ୍ପେସିଆଲିଟି ହସ୍ପିଟାଲରେ ୮୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି ।

ହୃଦଘାତ ଯୋଗୁଁ ସୋମବାର ସକାଳୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଭେଣ୍ଟିଲେଟରରେ ରଖାଯାଇଥିଲା। ମଙ୍ଗଳବାର ସକାଳ ୪ଟାରେ ଏହି ଅଭିନେତାଙ୍କର ଦେହାନ୍ତ ହୋଇଥିବା ନେଇ ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି।

ମହେଶ ବାବୁଙ୍କ ପିତା କ୍ରିଷ୍ଣା ୩୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ ତାଙ୍କ ସମୟର ସେ ଜଣେ ପ୍ରମୁଖ ଅଭିନେତା ଥିଲେ। ସେ ଜଣେ ସଫଳ ନିର୍ଦ୍ଦେଶକ ଏବଂ ନିର୍ମାତା ମଧ୍ୟ । ତାଙ୍କୁ ୨୦୦୯ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସେ ଟିଡିପି ନେତା ଜୟ ଗାଲାଙ୍କ ଶ୍ୱଶୁର। କଂଗ୍ରେସରେ ସାମିଲ ହୋଇ ୧୯୮୦ ଦଶକରେ ସାଂସଦ ହୋଇଥିଲେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ରାଜନୀତି ଛାଡିଥିଲେ କ୍ରିଷ୍ଣା।

କ୍ରିଷ୍ଣାଙ୍କ ପତ୍ନୀ ଏବଂ ମହେଶ ବାବୁଙ୍କ ମା ଇନ୍ଦିରା ଦେବୀ ଚଳିତ ବର୍ଷ ସେପ୍ଟେମ୍ବରରେ ମୃତ୍ୟୁ ବରଣ କରିଥିଲେ। ପରେ ଜାନୁଆରୀରେ ତାଙ୍କର ବଡ ପୁଅ ରମେଶ ବାବୁଙ୍କର ମୃତ୍ୟୁ ହୋଇଥିଲା । ସେହିପରି ୨୦୧୯ରେ ତାଙ୍କର ଦ୍ୱିତୀୟ ପତ୍ନୀ ତଥା ଅଭିନେତ୍ରୀ ବିଜୟ ନିର୍ମଳାଙ୍କର ପରଲୋକ ଘଟିଥିଲା ।

 

Latest Posts

Don't Miss