ଲୁହ ଓ କୋହ ଭିତରେ ବିଦା ହେଲେ ବର୍ଷିୟାନ ଅଭିନେତା ଅଜିତ ଦାସ

ଭୁବନେଶ୍ୱର: ସରିଛି ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିୟାନ ଅଭିନେତା ଅଜିତ ଦାସଙ୍କ  ଶେଷକୃତ୍ୟ । ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ଗାର୍ଡ୍ ଅଫ ଅନର ସହ ଅଜିତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ ଗତକାଲି ତାଙ୍କର ପରଲୋକ ହୋଇଥିଲା । ୭୧ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅଜିତ । ପ୍ରାୟ ୬୫ଟି ଫିଲ୍ମରେ ସେ ଅଭିନୟ କରିଥିଲେ । କେବଳ ଅଭିନୟ ନୁହେଁ ସେ ନିର୍ଦ୍ଦଶକ ଭାବେ ମଧ୍ୟ କିଛି ଫିଲ୍ମ କରିଥିଲେ । ତାଙ୍କ ଅଭିନୀତ ହାକିମବାବୁ ଫିଲ୍ମକୁ ମିଳିଥିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଏହି ଚଳଚ୍ଚିତ୍ର ପାଇଁ ଅଜିତ ଦାସ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ଆହୁରି ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ଥିଲେ ଅଜିତ ଦାସ । ଉତ୍କଳ ସଂଗୀତ ନାଟକ ମହାବିଦ୍ୟାଳୟ ନାଟକ ବିଭାଗର ମୁଖ୍ୟ ଭାବେ ସେ ଅବସର ନେଇଥିଲେ ।


ମଞ୍ଚ ଓ ନାଟକରେ ଅଧିକ ରୁଚି ରଖିଥିବା ଅଜିତଙ୍କ ମୃତ୍ୟୁରେ କେବଳ ସିନେ ଜଗତ ନୁହେଁ ବରଂ ସାରା ଓଡ଼ିଶା ମର୍ମାହତ । ଗତକାଲି ଅଜିତଙ୍କ ପରଲୋକରେ ସିନେ କଳାକାରଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଦି ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ଦୁଃଖ ପ୍ରକାଶ କରିଥିଲେ ।

ଅଜିତ ଦାସ ଓଡିଶାର ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆଠାରେ ୧୯୪୯ ମସିହା ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଅଜିତ ଦାସଙ୍କ ବଡ ବାପା ସୁଧିର ଚନ୍ଦ୍ର ଦାଶ ଜଣେ ନାଟକ ଅଭିନେତା ଥିଲେ । ତେଣୁ ସେ ପିଲାବେଳୁ ନାଟକ ପ୍ରତି ଆକର୍ଷିତ ହୋଇଥିଲେ । ମୟୂରଭଞ୍ଜରେ ତାଙ୍କର ଏକ ନାଟକ ଦଳ ମଧ୍ୟ ରହିଥିଲା । ସେ ୧୯୭୬ ମସିହାରେ ସିନ୍ଦୂର ବିନ୍ଦୁ ଫିଲ୍ମରେ ଅଭିନୟ କରି ଚଳଚିତ୍ର ଦୁନିଆରେ ପ୍ରବେଶ କରିଥିଲେ । ଏହି ଫିଲ୍ମରେ ତାଙ୍କୁ ଖଳନାୟକ ଭୂମିକାରେ ପ୍ରଥମ ସୁଯୋଗ ଦେଇଥିଲେ ଧୀର ବିଶ୍ୱାଳ । ଏହାପରେ ପରେ ସେ ଅନେକ ଓଡିଆ ଫିଲ୍ମରେ ନାୟକ ଭାବେ ଅଭିନୟ କରିଛନ୍ତି । ସେ ୬୦ରୁ ଅଧିକ ଚଳଚିତ୍ରରେ ଅଭିନୟ କରିଛନ୍ତି ।

ତାଙ୍କ ଅଭିନୀତ ସୁପରହିଟ୍ ଚଳଚ୍ଚିତ୍ର ଗୁଡିକ ହେଲା ହାକିମବାବୁ, କପାଳ ଲିଖନ, ସରରପଞ୍ଚ ବାବୁ, ପର ଝିଅ ଘର ଭାଙ୍ଗେନା, ଲୁଟତରାଜ ପରଦେଶୀ ଚଢେଇ । ତାଙ୍କ ଅଭିନୟରେ ସେ ଓଲିଉଡରେ ଅନେକ ଛାପ ଛାଡି ଯାଇଛନ୍ତି । ସୂଚନାଯୋଗ୍ୟ ହାକିମ ବାବୁ ଚଳଚତ୍ରରେ ତାଙ୍କ ଅଭିନୟରେ ମୁଗ୍ଧ ହୋଇ ଦର୍ଶକ ତାଙ୍କୁ ହାକିମ ବାବୁ ବୋଲି ଡାକିଥିଲେ ।

ତେବେ ନିଜର ନିଖୁଣ ଅଭିନୟ ପାଇଁ ଚିରଦିନ ପାଇଁ ଦର୍ଶକଙ୍କ ହୃଦୟରେ ଅମର ହୋଇ ରହିବେ ଅଜିତ୍‌ । ତାଙ୍କ ପରଲୋକରେ ତାଙ୍କ ଜନ୍ମସ୍ଥାନ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।

Leave a Reply