ଚାଇଲ୍ଡ ପର୍ଣ୍ଣ ଦେଖିବା, ଦେଖାଇବା, ଡାଉନଲୋଡ୍ ଓ ଫରୱାର୍ଡ କରିବା ଅପରାଧ, ‘ସୁପ୍ରିମ’ ରାୟକୁ ସବୁ ମହଲରେ ସ୍ବାଗତ

1 min read

ଭୁବନେଶ୍ବର:  ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଅର୍ଥାତ୍ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଅଶ୍ଳୀଳ ଭାବେ ଚିତ୍ରଣ କରିବା ଅପରାଧ । ସେମାନଙ୍କ ନ୍ୟୁଡ୍ କଣ୍ଟେଣ୍ଟକୁ ଇଲେକ୍ଟ୍ରୋନିକ୍ସ କିମ୍ୱା ଅନ୍ୟ କୌଣସି ଫର୍ମାଟରେ ପ୍ରକାଶ କରିବା ଓ ଏହାକୁ ଅନ୍ୟମାନଙ୍କୁ ପଠାଇବା ଅପରାଧ ଭାବରେ ବିବେଚନା କରାଯିବ ବୋଲି ସୁପ୍ରିମକୋର୍ଟଙ୍କ ରାୟକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ଏହାକୁ ଦେଖିବା, ଦେଖେଇବା, ଅପଲୋଡ ଓ ଡାଉନଲୋଡ କରିବା ସହ ଏଭଳି ଦୃଶ୍ୟ ବାବଦରେ ଜାଣିବା ପରେ ଅଥରିଟିଙ୍କୁ ନ ଜଣାଇବା ବି ଏକ ଅପରାଧ ଭାବେ ବିବେଚନା କରାଯିବ । ଆଇନଜୀବୀ, ସାଇବର ଏକ୍ସପର୍ଟ ଏବଂ ଶିଶୁ ସୁରକ୍ଷା ବିଶେଷଜ୍ଞ ଚାଇଲ୍ଡ ପର୍ଣ୍ଣଗ୍ରାଫିକୁ ରୋକିବା ସମାଜରେ ସମସ୍ତଙ୍କ ଦାୟିତ୍ୱ ବୋଲି କହିଛନ୍ତି ।

ଚାଇଲ୍ଡ ପର୍ଣ୍ଣଗ୍ରାଫିକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଦେଖିବା, ଦେଖେଇବା, ଅପଲୋଡ, ଡାଉନଲୋଡ ଅପରାଧ ଭାବେ ବିବେଚିତ । ଅଜାଣତରେ ଆସୁଥିବା ଭିଡିଓ ବାବଦରେ ଅଥରିଟିକୁ ଜଣାଇବା ବାଧ୍ୟତାମୂଳକ । ଉଲ୍ଲଂଘନ କଲେ ଆଇଟି ଆକ୍ଟ, ପସ୍କୋ ଆକ୍ଟ ଓ ଭାରତୀୟ ନ୍ୟାୟ ସଂହିତା ଅନୁସାରେ ଦଣ୍ଡନୀୟ । ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଅର୍ଥାତ୍ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଅଶ୍ଳୀଳ ଭାବେ ଚିତ୍ରଣ କରିବା ଅପରାଧ । ସେମାନଙ୍କ ନ୍ୟୁଡ୍ କଣ୍ଟେଣ୍ଟକୁ ଇଲେକ୍ଟ୍ରୋନିକ୍ସ କିମ୍ୱା ଅନ୍ୟ କୌଣସି ଫର୍ମାଟରେ ପ୍ରକାଶ କରିବା ଓ ଏହାକୁ ଅନ୍ୟମାନଙ୍କୁ ପଠାଇବା ଅପରାଧ ଭାବରେ ବିବେଚନା କରାଯିବ । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କିମ୍ବା ଦେଖିବା POCSO ଅଧିନିୟମ ଅନୁଯାୟୀ ଅପରାଧ । ଏହାର ଉଲ୍ଲଙ୍ଘନ କଲେ ଭାରତୀୟ ନ୍ୟାୟ ସଂହିତା ଏବଂ ଆଇଟି ଆକ୍ଟ ଅନୁସାରେ ବି ମାମଲା ରୁଜୁ ହେବ ।

ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୧୯ ମସିହାରେ POCSO ଆକ୍ଟରେ ପରିବର୍ତ୍ତନ କରିଥିଲେ । ଧାରା ୧୪ ଓ ୧୫ ଅନୁଯାୟୀ, ଯଦି କେହି ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କରନ୍ତି, ସେୟାର କରନ୍ତି କିମ୍ବା ଦେଖନ୍ତି ତେବେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯାଇପାରେ । ଏହା ବ୍ୟତୀତ, ଯଦି ଜଣେ ବ୍ୟକ୍ତି ବ୍ୟବସାୟିକ ଉଦ୍ଦେଶ୍ୟରେ (ବିକ୍ରୟ / କ୍ରୟ) ପାଇଁ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ରଖନ୍ତି, ତେବେ ଅତି କମରେ ତିନି ବର୍ଷ ଜେଲ ବା ଜରିମାନା କିମ୍ବା ଉଭୟ ଦଣ୍ଡବିଧାନର ବ୍ୟବସ୍ଥା ଅଛି । ଯଦି ଦ୍ୱିତୀୟ ଥର ପାଇଁ ସେହି ବ୍ୟକ୍ତି ଏପରି କରନ୍ତି ତେବେ ଏହି ଦଣ୍ଡାଦେଶକୁ ପାଞ୍ଚରୁ ସାତ ବର୍ଷକୁ ବୃଦ୍ଧି କରାଯାଇପାରେ । ଧିରେ ଧିରେ ଆଇନ ଶକ୍ତ ହେଉଥିଲେ ବି ଶିଶୁମାନଙ୍କୁ ସୁରକ୍ଷା ଦେବା ଦିଗରେ ସମସ୍ତଙ୍କ ସାମାଜିକ ମୂଲ୍ୟବୋଧ ରହିବା ଜରୁରୀ ବୋଲି ଶିଶୁ ସୁରକ୍ଷା ବିଶେଷଜ୍ଞ କହିଛନ୍ତି ।

ଦେଶରେ ପର୍ଣ୍ଣ ଭିଡିଓ ତିଆରି, ପ୍ରକାଶନ ଓ ପ୍ରସାରଣ ଉପରେ ନିଷେଧାଦେଶ ରହିଛି । ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ୨୦୦୦ର ଧାରା ୧୭ ଓ ୬୭ A ରେ ମଧ୍ୟ ୩ ବର୍ଷ ଜେଲ୍ ସହିତ ଏହି ଅପରାଧ କରୁଥିବା ବ୍ୟକ୍ତିଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି ।