ରାଜ୍ୟସଭାରେ ହଙ୍ଗାମା ପ୍ରସଙ୍ଗ,କାନ୍ଦିପକାଇଲେ ସଭାପତି ଭେଙ୍କିଆ ନାଇଡୁ

1 min read

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ରାଜ୍ୟସଭାରେ କିଛି ବିରୋଧିଦଳ ସଦସ୍ୟଙ୍କ ଅଶୋଭନୀୟ ଆଚରଣକୁ ନେଇ ସଭାପତି ଭେଙ୍କିଆ ନାଇଡୁ ଏତେ ମର୍ମାହତ ଯେ, ବୁଧବାର ଦିନ ଗୃହକାର୍ଯ୍ୟ ଆରମ୍ଭ ହେବା ସହିତ ସେ ବୟାନ ପଢି ଏହାକୁ ନିନ୍ଦା କରିଥିଲେ । ସେ ଅତ୍ୟନ୍ତ କଠୋର ଶବ୍ଦରେ ଲିଖିତ ବୟାନକୁ ଛିଡା ହୋଇ ପଢିଥିଲେ । ଏହି ସମୟରେ ସେ ଭାବୁକ ହୋଇପଡିଥିଲେ ଓ ଏକରକମ କାନ୍ଦି ପକାଇଥିଲେ । କୁହାଯାଉଛି ଯେ, ମଙ୍ଗଳବାର ଦିନ ଯେଉଁ ସଦସ୍ୟ ମାନେ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ ସେମାନଙ୍କ ବିରୋଧରେ ସଭାପତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି । ସୂଚନାଯୋଗ୍ୟ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଗୃହ ନେତା ପିୟୁସ ଗୋଏଲ ଓ ଅନ୍ୟ ବିଜେପି ନେତା ବୁଧବାର ଦିନ ଉପ-ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି ।

ରାଜ୍ୟସଭା କାର୍ଯ୍ୟ ଆରମ୍ଭ ହେବା ପରେ ସଭାପତି ନାଇଡୁ କହିଥିଲେ ଯେ, ଗତକାଲି ଯାହାକିଛି ଘଟିଗଲା ତାକୁ ନିନ୍ଦା କରିବାକୁ ତାଙ୍କ ପାଖରେ ଶବ୍ଦ ନାହିଁ । ସେ କହିଥିଲେ ଯେ, ସଂସଦ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ଓ ଏହାର ପବିତ୍ରତାକୁ କ୍ଷୁର୍ଣ୍ଣ କରିବାକୁ ଦିଆଯିବା ଉଚ୍ଚିତ ନୁହେଁ । ସେ କହିଥିଲେ ଯେ, ‘ ମୁଁ ଅତ୍ୟନ୍ତ କ୍ଷୋଭର ସହ କହୁଛି ଯେ, ଏହି ଗୃହର ଗରିମା ଯେଉଁଭଳି ଭଙ୍ଗା କରାଯାଇଥିଲା ଓ ତାହା ପୁଣି ପ୍ରତିଦ୍ୱନ୍ଦ୍ୱିତାର ଭାବନା ସହିତ ତାହା ବେସ ଚିନ୍ତାଜନକ । ଯେମିତି ମନ୍ଦିର,ମସଜିଦ ,ଚର୍ଚ୍ଚ ଓ ଗୁରୁଦ୍ୱାର ବିଭିନ୍ନ ଧର୍ମର ପବିତ୍ରସ୍ଥଳ ସେମିତି ଗଣତନ୍ତ୍ରର ପବିତ୍ରସ୍ଥଳ ହେଉଛି ଆମ ସଂସଦ । ଟେବୁଲ ଏରିଆ,ଯେଉଁଠି ମହାସଚିବ ଓ ସଭାପତି ବସନ୍ତି ତାକୁ ସଂସଦର ଗର୍ଭଗୃହ ଭାବେ ଗଣା ଯାଇଥାଏ । ସେ ଆହୁରି ମଧ୍ୟ କହିଥିଲେ ଯେ, ସଂସଦୀୟ ମର୍ଯ୍ୟଦା ଭଙ୍ଗ ପାଇଁ ସତେ ଯେମିତି ପ୍ରତିଯୋଗିତା ଚାଲିଛି । ଏସବୁ କହିବା ବେଳେ ସେ ଭାବୁକ ହୋଇପଡିଥିଲେ ଓ ଏକରକମ କାନ୍ଦି ପକାଇଥିଲେ ।

Leave a Reply