ପରିବା ଦର ବୃଦ୍ଧି ପାଇଁ ଉପରମୁହାଁ ଖୁଚୁରା ମୁଦ୍ରାସ୍ପୀତି

ନୂଆଦିଲ୍ଲୀ: ଦେଶରେ ପରିବା ଦର ଆକାଶଛୁଆଁ । ଟମାଟୋଠାରୁ ଆରମ୍ଭ କରି ବିନ୍, ଧନିଆ ପତ୍ର, କଞ୍ଚାଲଙ୍କା, କଲରା ଏବଂ ବାଇଗଣ ଭଳି ପନିପରିବା ଦର ଏବେ ଢେର ଉପରେ । ଉଚ୍ଚ ପନିପରିବା ଦର ଯୋଗୁ ଜୁନ୍ ମାସରେ ଦେଶରେ ଖୁଚୁରା ମୁଦ୍ରାସ୍ପୀତି ଉପରମୁହାଁ ହୋଇଛି । ଜୁନରେ ଖୁଚୁରା ମୁଦ୍ରାସ୍ପୀତି ୪.୮୨ ପ୍ରତିଶତରେ ପହଞ୍ଚିଛି । ମେ’ମାସରେ ଏହା ବିଗତ ୨୫ ମାସର ସର୍ବନିମ୍ନ ସ୍ତର ୪.୨୫ ପ୍ରତିଶତକୁ ଖସିଆସିଥିଲା । ପନିପରିବାର ଅତ୍ୟଧିକ ମୂଲ୍ୟ ବଢ଼ିଥିବାରୁ ଜୁନ୍ ମାସରେ ମୁଦ୍ରାସ୍ପୀତି ବୃଦ୍ଧି ପାଇଛି। ଜୁନ ମାସରେ ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ମୁଦ୍ରାସ୍ପୀତି ୧୨.୭୧ ପ୍ରତିଶତ ରହିଥିଲା । ସେହିପରି ମସଲା ସାମଗ୍ରୀ କ୍ଷେତ୍ରରେ ଏହା ସବୁଠାରୁ ଅଧିକ ୧୯.୧୯ ପ୍ରତିଶତ ରହିଛି । ଡାଲି ଦର କିଲୋ ପିଛା ୧୬୦ ଟଙ୍କା ଛୁଇଁବା ପରେ ଏହି କ୍ଷେତ୍ରରେ ମୁଦ୍ରାସ୍ଫୀତି ମେ’ ମାସର ୬.୫୬ ପ୍ରତିଶତ ତୁଳନାରେ ହଠାତ୍ ୧୦.୫୩ ପ୍ରତିଶତକୁ ବୃଦ୍ଧି ପାଇଛି।

ଦୁଗ୍ଧ ସାମଗ୍ରୀ କ୍ଷେତ୍ରରେ ମଧ୍ୟ ମୁଦ୍ରାସ୍ଫୀତି ୮.୫୬ ପ୍ରତିଶତ ରହିଛି । ଜୁନ୍ ମାସରେ ଉପଭୋକ୍ତା ମୂଲ୍ୟ ସୂଚୀ ବା ସିପିଆଇ ୪.୪୯ ପ୍ରତିଶତକୁ ବୃଦ୍ଧି ପାଇଥିଲା । ମେ ମାସରେ ଏହା ୨.୯୬ ପ୍ରତିଶତ ଥିଲା । ଏପ୍ରିଲରେ ଏହା ଥିଲା ୩.୮୪ ପ୍ରତିଶତ । ଏହି ସୂଚକାଙ୍କ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଏବଂ ହ୍ରାସକୁ ଦର୍ଶାଇଥାଏ । ପନିପରିବା ଦରବୃଦ୍ଧି ପାଇଁ କର୍ପୋରେଟ ସଂସ୍ଥାକୁ ବ୍ୟବସାୟୀ ଦାୟୀ କରିଛନ୍ତି । ସରକାର ତୁରନ୍ତ ଦର ନିୟନ୍ତ୍ରଣ ନକଲେ ଏହା ଭବିଷ୍ୟତ ଅର୍ଥନୀତିକୁ ପ୍ରଭାବିତ କରିବ ।