ବଢିଚାଲିଛି ପନିପରିବା ଏବଂ ତେଜରାତି ଦର, ସନ୍ତୁଳି ହେଉଛନ୍ତି ଖାଉଟି

1 min read

ନନ୍ଦିଘୋଷ ବ୍ୟୁରୋ: ଦରଦାମ ବୃଦ୍ଧିରେ ଲୋକେ ସନ୍ତୁଳି ହେଉଛନ୍ତି । ହେଲେ କେନ୍ଦ୍ର ସରକାରଙ୍କୁ ଘାରିଛି ଜିଏସ୍ଟି ନିଶା । ଏଣିକି ୨୫ କିଲୋରୁ ଅଧିକ ଓଜନର ଡାଲି, ମଇଦା, ଅଟା, ସୁଜି ପ୍ୟାକେଟ୍ ଉପରେ ଲାଗିବ ଜିଏସ୍ଟି । ସାଧାରଣ ଲୋକଙ୍କ ଉପରେ ଏହି ଟ୍ଯାକ୍ସ ଲାଗୁ ହେବ। କିନ୍ତୁ ଯଦି କର୍ପୋରେଟ୍ ସଂସ୍ଥା ଓ ବଡ଼ ବଡ଼ ମଲ ପାଇଁ ଏହା ଲାଗୁ ହେବନି। ଏପରି ଏକ ପ୍ରସ୍ତାବ ଉପରେ ବିଭିନ୍ନ ବର୍ଗର ମତାମତ ଲୋଡ଼ିଛି କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ । ଜୁଲାଇ ୨୯ ତାରିଖ ସୁଦ୍ଧା ମତାମତ ମଗାଯାଇଛି। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଖାଉଟି ଓ ବ୍ୟବସାୟୀ ମହାସଂଘ।

ଦରବୃଦ୍ଧିରେ କଲବଲ ଖାଉଟି। ବଢିଚାଲିଛି ପନିପରିବାଠୁ ତେଜରାତି ଦର । ହେଲେ ଲୋକେ ପଛେ ମରନ୍ତୁ, କିନ୍ତୁ  ଆହୁରି ଜିଏସ୍ଟି ଆଦାୟ କରି ନିଜ ଟ୍ରେଜେରି ଭରିବାକୁ କେନ୍ଦ୍ରର ଯୋଜନା । ଏବେ ଖୁଚୁରା ବଜାରରେ ୨୫ କିଲୋ ଓଜନର ଡାଲି,  ମଇଦା,  ଅଟା, ସୁଜି ପ୍ୟାକେଟ୍ ଉପରେ ଜିଏସ୍ଟି ପଡୁଛି। ଏଣିକି ୨୫ କିଲୋରୁ ଅଧିକ ଓଜନର ଏହି ସାମଗ୍ରୀର ପ୍ଯାକେଟ ଉପରେ ସାଧାରଣ ଖାଉଟିଙ୍କୁ ଜିଏସଟି ଦେବାକୁ ପଡ଼ିବ। ଏ ନେଇ କେନ୍ଦ୍ର ଖାଦ୍ଯ ମନ୍ତ୍ରାଳୟ ବ୍ୟବସାୟୀ ମହାସଂଘ, ଶିଳ୍ପ ସଂସ୍ଥା, କର୍ପୋରେଟ୍ ଜଗତର ମତାମତ ଲୋଡ଼ିଛି। କିନ୍ତୁ ସାଂଘାତିକ କଥା ହେଉଛି, ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା, ଶିଳ୍ପ ଓ କୌଣସି ବଡ଼ ସଂସ୍ଥାକୁ ଏ କ୍ଷେତ୍ରରେ ଜିଏସ୍ଟି ଦେବାକୁ ପଡ଼ିବନି । ଆଗରୁ ବଡ଼ ପ୍ୟାକେଟ୍ ଉପରେ ଜିଏସଟି ଲାଗୁନଥିବାରୁ ସାଧାରଣ ଲୋକେ କମ୍ ଦାମରେ ଜିନିଷ ପାଉଥିଲେ। ସେତକ ବି ଛଡ଼ାଇ ନେବାକୁ ବସିଛି କେନ୍ଦ୍ର । କେନ୍ଦ୍ରର ଏପରି ନିଷ୍ପତ୍ତି ଉପରେ ଘୋର ଅସନ୍ତୋଷ ପ୍ରକାଶ କରିଛି ସର୍ବଭାରତୀୟ ବ୍ୟବସାୟୀ ସଂଘ ।

୨୦୧୭ ମସିହାରେ କେନ୍ଦ୍ର ସରକାର ଦେଶରେ ଜିଏସ୍ଟି ପ୍ରଚଳନ କଲେ । ସ୍ଥିତି ଏମିତି ଯେ- ବୀମା, ପିଲାଙ୍କ ଖାଦ୍ୟ, ପ୍ରକ୍ରିୟାକୃତ ଚୁଡ଼ା ଉପରେ ବି ଜିଏସଟି ଆଦାୟ ହେଉଛି । କେନ୍ଦ୍ରର ନୂଆ ନିଷ୍ପତ୍ତି ଯୋଗୁଁ ସାଧାରଣ ଲୋକେ ଜିଏସ୍ଟି ଗଣିବେ। ଅଥଚ ଶିଳ୍ପଜଗତ ପାଇଁ ଏହା ଛାଡ଼ କରାଯିବ । ବଡ଼ ପ୍ୟାକେଟ୍ ଉପରେ ଜିଏସ୍ଟି ଲାଗିଲେ ଦୋକାନୀ ଲୋକଙ୍କଠାରୁ ଏହି ଟିକସ ଅର୍ଥ ନେବେ । ମହଙ୍ଗା ବଜାରରେ ଯାହା ବି ଟିକିଏ ରିହାତି ଖାଉଟିଙ୍କୁ ମିଳୁଥିଲା,  ସେତକ ବି ଚାଲିଯିବ। ଏବେ ଜିଏସ୍ଟିର କଳେବର ଏପରି ଯେ- ୧୯ଟି ଟିକସ ସହିତ ଲାଗୁଛି ୨୧ ପ୍ରକାର ସେସ୍ । ଜିଏସ୍ଟି ବାବଦରେ କେନ୍ଦ୍ର ସରକାର ପାଉଛନ୍ତି ବର୍ଷକୁ ୨୩ ଲକ୍ଷ କୋଟି ଟଙ୍କା । ସେବା ଟିକସ ବାବଦରେ ଆଦାୟ ହେଉଛି ୧୮ ପ୍ରତିଶତ ଜିଏସ୍ଟି ।