୭୦ରୁ ୮୦ ଟଙ୍କା ତଳକୁ ନାହିଁ ପରିବା କେଜି, ଲୋକେ ଖାଇବେ କ’ଣ ?

ଭୁବନେଶ୍ବର: ହୁ ହୁ ହୋଇ ବଢି ଚାଲିଛି ପରିବା ଦର । ଗତ ଏକମାସ ଭିତରେ ଦରଦାମ ଆକାଶ ଛୁଆଁ ହୋଇଛି । ଯାହାକୁ ଛୁଇଁବେ ୭୦ରୁ ୮୦ ପାର । ସେଞ୍ଚୁରୀ ମାରି ସାରିଲାଣି କିଛି ପରିବାର ଦର । ଡାଲି, ଚାଉଳ, ପରିବା ଏପରିକି ଆଳୁ, ପିଆଜ ଭଳି ଅତି ଆବଶ୍ୟକ ଖାଉଟି ସାମଗ୍ରୀ ଦର ବୃଦ୍ଧିକୁ ନେଇ ଅତିଷ୍ଠ ସାଧାରଣ ଜନତା । ବ୍ୟବସାୟୀ ମଧ୍ୟ ଦରବୃଦ୍ଧିକୁ ନେଇ ଅସନ୍ତୋଷ ଝାଡିଥିବା ବେଳେ, ସମସ୍ୟାର ତୁରନ୍ତ ସମାଧାନ ପାଇଁ ଉଠିଛି ଦାବି ।

ସ୍ଥିତି ଏମିତି ପରିବା ହାଟକୁ ପଶିଲେ ପକେଟକୁ ବାଧୁଛି । ଯାହାକୁ ଛୁଇଁବ ୭୦ରୁ ୮୦ ଟଙ୍କା ଉପରେ । ସାଧାରଣ ଲୋକଙ୍କ ରୋଷେଇ ଘର ଦର ବୃଦ୍ଧି ପାଇଁ ପ୍ରଭାବିତ । ଲୋକେ ଖାଇବେ କ’ଣ, ସେହି ଚିନ୍ତାରେ ଘାରି ହେଉଛନ୍ତି । ୫ ଶହ ଟଙ୍କାରେ ବି ବ୍ଯାଗ୍ ଫୁଲ ହେଉନି । ମଧ୍ୟବିତ୍ତଙ୍କ କଥା ଛାଡ଼ନ୍ତୁ, ଥିଲାବାଲା ଲୋକ ବି ପରିବା ଦର ଦେଖି ଛାନିଆ । ଭୁବନେଶ୍ବର ଏକ ନମ୍ବର ପରିବାର ହାଟ ଓ ନୟାପଲ୍ଲୀ ପରିବା ହାଟରେ ଯାହାକୁ ଦେଖ ଅସନ୍ତୋଷ ଝାଡୁଛନ୍ତି । କେବଳ ବଞ୍ଚିବା ପାଇଁ କିଏ କିଲୋ ବଦଳରେ ଅଢେ ଶହ ଗ୍ରାମ ନେଉଛି ତ କିଏ ଅଧ କିଲୋ ନେଇ ଯେମିତି ସେମିତି କାମ ଚଳାଇବାକୁ ଚିନ୍ତା କରୁଛି । ଡାଲି, ଚାଉଳ, ପରିବା ଏପରିକି ଆଳୁ, ପିଆଜ ଭଳି ଆବଶ୍ୟକ ଖାଉଟି ସାମଗ୍ରୀ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକେ ଚିନ୍ତାରେ ।

କଟକରେ ମଧ୍ଯ ପରିବା ଦର ପ୍ରାୟ ଏକ ମାସ ହେବ ଆକାଶ ଛୁଆଁ ରହିଛି । ଖରା ପାଇଁ ଓ ଅଭାବୀ ବର୍ଷା କାରଣରୁ ଉତ୍ପାଦନ କମି ଥିବାରୁ ସବୁ ପରିବା କମ ପରିମାଣରେ ଆସୁଛି । ଫଳରେ ଚଢା ଦରରେ ବିକ୍ରି ହେଉଛି ପରିବା । ଆଳୁ ୩୫ ଟଙ୍କା ଥିବାବେଳେ ପିଆଜ ୪୫ ଟଙ୍କାରେ ବିକ୍ରି ହେଉଛି । ବିନ ୧୬୦ ଟଙ୍କା, ଝୁଡୁଙ୍ଗ ୬୦, ଭେଣ୍ଡି ୬୦, ଜହ୍ନି ୬୦ ଓ ଅମୃତ ଭଣ୍ଡା ୪୦, ବିଲାତି ୬୦, ବାଇଗଣ ୬୦, କାକୁଡି ୬୦, କଖାରୁ ୪୦, ସାରୁ ୬୦, କୋବି ୫୦, କାଙ୍କଡ଼ ୬୦ ଟଙ୍କାରେ ବିକ୍ରି ହେଉଛି । ବ୍ୟବସାୟୀ ମଧ୍ୟ ଦରବୃଦ୍ଧିକୁ ଅସନ୍ତୁଷ୍ଠ । ତୁରନ୍ତ ଏହି ଦରବୃଦ୍ଧିର ସମାଧାନ କରିବାକୁ ସବୁ ମହଲରୁ ଉଠୁଛି ଦାବି ।

ଅତ୍ଯାବଶ୍ଯକ ସାମଗ୍ରୀଠାରୁ ଆରମ୍ଭ କରି ସବୁଠୁ ମହଙ୍ଗା ମାଡ଼ । ସ୍ବଳ୍ପ ରୋଜଗାରରେ ଏପରି ମହଙ୍ଗା ବଜାରରେ ହନ୍ତସନ୍ତ ହେଲେଣି ମଧ୍ଯବିତ୍ତ ଓ ସାଧାରଣ ବର୍ଗ । ତୁରନ୍ତ ଏହାର ସମାଧାନ ପାଇଁ ସବୁ ମହଲରୁ ଦାବି ହୋଇଛି ।