ଦୁବାଇ ସ୍ଥିତ ଭାରତୀୟ ଦୂତାବାସରେ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ 

ଦୁବାଇ : ବିଦେଶ ମାଟିରେ ମହାନ ବିପ୍ଲବୀଙ୍କୁ ମନେପକାଇଲେ ଓଡ଼ିଆ । ମହାନ ବିପ୍ଳବୀ ତଥା ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୫ତମ ଜନ୍ମ ବାର୍ଷିକୀକୁ ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇରେ ପାଳନ କରାଯାଇଛି। ଦୁବାଇର ଭାରତୀୟ ଦୂତାବାସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୁବାଇର ଓଡ଼ିଆ ସମ୍ପ୍ରଦାୟର ସଦସ୍ୟମାନେ ସାମିଲ ହୋଇ ବୀର ସୁରେନ୍ଦ୍ର ସାଏଙ୍କ ସାହସିକତା ଏବଂ ବୀରତ୍ୱକୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜନ୍ମ ବାର୍ଷିକୀ ମଧ୍ୟ ପାଳନ କରାଯାଇଥିଲା ଯାହା ‘ପରାକ୍ରାମ ଦିବସ’ ଭାବରେ ପାଳନ କରାଯାଏ।

ଦୁବାଇର ଭାରତୀୟ କନସୁଲ୍ ଜେନେରାଲ୍ ଡକ୍ଟର ଅମନ ପୁରୀ ଏହି ଅବସରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଦୁଇ ଟାଣୁଆ ନେତା ଯଥା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ। ଦୁହିଁଙ୍କ ଅଦମ୍ୟ ସାହସ ଏବଂ ଦେଶପ୍ରେମର ଉଦାହରଣ ଦେଇଥିଲେ। ସମାବେଶକୁ ସମ୍ବୋଧିତ କରି ଅମନ ପୁରୀ କହିଛନ୍ତି ଯେ ‘ବୀର ସୁରେନ୍ଦ୍ର ସାଏ ଜଣେ ଆଦର୍ଶ ଏବଂ ଆଜି ଆମ ସମସ୍ତଙ୍କ ପାଇଁ ତାଙ୍କ ବଳିଦାନ ବିଷୟରେ ଅଧିକ ଜାଣିବା ପାଇଁ ଏକ ସୁଯୋଗ’। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୮ରେ ଉଦ୍ଘାଟିତ ହୋଇଥିବା ଝାରସୁଗୁଡା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରାଯାଇ ଦେଶ ତରଫରୁ ସାହସୀ ଦେଶପ୍ରେମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ଏହି ଅବସରରେ ପାରମ୍ପାରିକ ଭାବେ ପ୍ରଦୀପ ପ୍ରଜ୍ବଳିତ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ପରେ କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସମାବେଶ ସ୍ଥଳୀରେ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ଏବଂ ସେହି ସମୟର ସଂଗ୍ରାମ ଉପରେ ଏକ ଭିଡିଓ ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ବିଶିଷ୍ଟ ପ୍ରବାସୀ ଓଡିଆ ତଥା ଓଡ଼ିଆ ସମ୍ପ୍ରଦାୟର ବରିଷ୍ଠ ସଦସ୍ୟ କ୍ୟାପଟେନ ସୌମ୍ୟ ରଂଜନ ପଟ୍ଟନାୟକ, ବୀର ସୁରେନ୍ଦ୍ର ସାଏଙ୍କ ସଂକ୍ଷିପ୍ତ ଜୀବନ ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ। ବୀର ସୁରେନ୍ଦ୍ର ସାଏ କିପରି ନିଜର ବୀରତ୍ୱ ଏବଂ ସାହସିକତା ସହିତ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଓଡିଆଙ୍କୁ ପ୍ରେରଣା ଯୋଗାଉଛନ୍ତି ସେ ବିଷୟରେ ଆଲୋଚନା କରିଥିଲେ। ସେ ୧୮ବର୍ଷ ବୟସରେ ସୁରେନ୍ଦ୍ର ସାଏଙ୍କ ପ୍ରଥମ ବିଦ୍ରୋହ ଏବଂ ୧୮୫୭ର ସିପାହୀ ବିଦ୍ରୋହରେ ଅଂଶଗ୍ରହଣ ବିଷୟରେ ମଧ୍ୟ କହିଥିଲେ।

ବିଶ୍ୱର କୌଣସି ଦୂତାବାସରେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଇ ନଥିବାବେଳେ ଦୁବାଇ ସ୍ଥିତ ଦୂତାବାସରେ ପ୍ରଥମ ଥର ପାଇଁ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଇଥିଲା। ଏହି ସ୍ମୃତିଚାରଣ ସମଗ୍ର ଓଡିଆଙ୍କ ପାଇଁ ଏକ ଭାବପ୍ରବଣ ମୂହୁର୍ତ୍ତ ଥିଲା ବୋଲି କହିଛନ୍ତି ପ୍ରତିଷ୍ଠିତ ପ୍ରବାସୀ ଓଡ଼ିଆ ପ୍ରିୟଦର୍ଶୀ ପାଣିଗ୍ରାହୀ। ପ୍ରିୟଦର୍ଶୀ ଏହା ମଧ୍ୟ କହିଛନ୍ତି ଯେ, ସୁରେନ୍ଦ୍ର ସାଏ ମୋଟ ୩୭ ବର୍ଷ କାରାଦଣ୍ଡ ଭୋଗିଛନ୍ତି (୧୭ ଏବଂ ୨୦ ବର୍ଷର ଦୁଇଟି ପର୍ଯ୍ୟାୟରେ) ବୋଧହୁଏ ଦୁନିଆର ସବୁଠୁ ଦୀର୍ଘତମ ସମୟ କାରାଦଣ୍ଡରେ ବିତାଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଅନ୍ୟତମ। ସୁରେନ୍ଦ୍ର ସାଏଙ୍କୁ ଜଣେ ଅଜ୍ଞ ନାୟକ ବୋଲି କହି ପ୍ରିୟଦର୍ଶୀ କହିଛନ୍ତି ଯେ, ତାଙ୍କର ସଂଗ୍ରାମ ତଥା ବଳିଦାନର ପ୍ରଚାର କରିବା ପାଇଁ ଆହୁରି ଅନେକ କିଛି କରିବା ଆବଶ୍ୟକତା ରହିଛି।

ବୀର ସୁରେନ୍ଦ୍ର ସାଏଙ୍କ ଜୀବନ ଏବଂ ସେହି ସମୟକୁ ଲୋକଙ୍କ ହୃଦୟରେ ସାଇତି ରଖିବା ପାଇଁ ତାଙ୍କ ସହ ଜଡିତ ବସ୍ତୁ ବିଶେଷକୁ ଡ଼କ୍ୟୁମେଂଟିଂ ବା ଲିଖିତ ଆକାରରେ ରଖିବା ପାଇଁ ବୈଠକରେ ଆଲୋଚନା ହୋଇଛି। ତେବେ ଆନୁଷ୍ଠାନିକ ଭାବେ ବୀର ସୁରେନ୍ଦ୍ର ସାଏଙ୍କ ଜୀବନ କାହାଣୀ ଉପରେ ପର୍ଯ୍ୟବେସିତ ଏକ ଡ଼କ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇପାରିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି।

ୟୁଏଇର ଦୁବାଇରେ କ୍ରମାଗତ ଚତୁର୍ଥ ବର୍ଷ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ବାର୍ଷିକୀ ପାଳନ ହୋଇଆସୁଛି। ଜାନୁଆରୀ, ୨୦୨୦ରେ ଭାରତ ବାହାରେ ଦୁବାଇରେ ଏହା ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା ଏବଂ ସେହି ଦିନଠାରୁ ଏହାକୁ ପ୍ରତିବର୍ଷ ପାଳନ କରାଯାଉଛି । କୋଭିଡ ଯୋଗୁଁ ୨୦୨୨ରେ ଅନଲାଇନ୍ ମାଧ୍ୟମରେ ସ୍ମୃତିଚାରଣ କରାଯାଇଥିଲା।