ପୁଣି ଫେରିଲା ଭାଟ ରାଜନୀତି: ରାଜ୍ୟ ସରକାରଙ୍କ କୋର୍ଟକୁ ବଲ ଫିଙ୍ଗିଲା ବିଜେଡି

ଭୁବନେଶ୍ବର: ପୁଣି ଫେରିଲା ଭାଟ ରାଜନୀତି । ରାଜ୍ୟ ସରକାରଙ୍କ କୋର୍ଟରେ ଭାଟ ବଲ । ଭାଟ କମାଇ ବଜେଟ ପୂର୍ବରୁ ନେବେ କି ବଡ଼ ନିଷ୍ପତ୍ତି ? ଜନତାଙ୍କ ସରକାର ବୁଝିବେ କି ଜନତା ଦୁଃଖ ? ବିଜେଡି କହିଲା, ନିଜ କଥା ନିଜେ ରକ୍ଷାକରୁ ବିଜେପି । ବିଜେପିର ଜବାବ ଚାଲିଛି ବିଚାର । ଶହେ ଟଙ୍କା ତଳକୁ ଖସୁନି ପେଟ୍ରୋଲ । ଡିଜେଲ ଲିଟର ୯୨ ଟଙ୍କା ଉପରେ। ଅତ୍ୟାବଶ୍ୟକ ସାମଗ୍ରୀମୂଲ୍ୟ ଆକାଶଛୁଆଁ । ହୁ ହୁ ହୋଇ ବଢିଚାଲିଛି ଦର । କେବେ ନିୟନ୍ତ୍ରଣକୁ ଆସିବ ଠିକଣା ନାହିଁ । ଏମିତିରେ ୧୭ରେ ବଜେଟ । ତା ପୂର୍ବରୁ ଭାଟ ହ୍ରାସ କରି ପେଟ୍ରୋଲ ଡିଜେଲ ଦରରେ ହ୍ରାସ କରିବାକୁ ଦାବି କରିଛି ବିଜେଡି । ୩ରୁ ୪ ପ୍ରତିଶତ ଭାଟ କମାଇବା ପାଇଁ ବିଜେପି ବିରୋଧୀ ଦଳରେ ଥିବା ବେଳେ ଦାବି କରୁଥିଲା । ଏବେ ନିଜ କଥା ନିଜେ ରଖନ୍ତୁ ବୋଲି ବିଜେଡି କହିଛି । ଏ ନେଇ ସରକାରଙ୍କ କୋର୍ଟକୁ ବଲ ଫିଙ୍ଗିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ତୈଳ ଦର କମିଲେ ପରିବହନ ଖର୍ଚ୍ଚ କମିବ । ସେହିଅନୁସାରେ ଦରଦାମ ସବୁ କ୍ଷେତ୍ରରେ ନିୟନ୍ତ୍ରଣକୁ ଆସିବ ବୋଲି ଅରୁଣ କହିଛନ୍ତି ।

ଦିନକୁ ଦିନ ଦରଦାମ ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ସାଧାରଣ ଲୋକ ହଇରାଣ ହେଉଛନ୍ତି । ବିଜେଡି ଲୋକଙ୍କ ସ୍ବର ସାଜି ରାଜରାସ୍ତାରୁ ବିଧାନସଭା ଯାଏ ଦରଦାମ ନିୟନ୍ତ୍ରଣ କରିବା ଲାଗି ଲଢେଇ ଜାରି ରଖିଛି । ଯାହା ଡବଲ ଇଂଜିନ ସରକାରକୁ ଅକଳରେ ପକାଇଛି । ଭାଟ କମାଇବା ପାଇଁ ବିଜେଡିର ପ୍ରସ୍ତାବକୁ ନେଇ ମତ ରଖିଛି ବିଜେପି । ବିଜେପି ବିଧାୟକ ଅଶ୍ବନୀ କୁମାର ଷଡ଼ଙ୍ଗୀ କହିଛନ୍ତି, ପେଟ୍ରୋଲ ଓ ଡିଜେଲ ଉପରେ ଭାଟ କମାଇବେ କି ନାହିଁ ତାହା ଉପରେ ବିଚାର ବିମର୍ଶ ଚାଲିଛି । ଯାହାକୁ ନେଇ ବିଜେପିକୁ ଘେରିଛନ୍ତି ବିଜେଡି ଓ କଂଗ୍ରେସ । ଫେବୃଆରୀ ୧୩ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ । ୧୭ ତାରିଖରେ ଗୃହରେ ବଜେଟ ଉପସ୍ଥାପନ ହେବ । ତାହା ପୂର୍ବରୁ ରାଜ୍ୟ ସରକାର ଭାଟ କମାଇବାକୁ ନେଇ ଦାବି ଜୋର ଧରିଲାଣି । ମୁଖ୍ୟ ବିରୋଧୀ ବିଜେଡି କହିଛି, ଜନତାଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥିବା ବିଜେପି ଭାଟ କମାଉଛି ନା ରାଜ୍ୟବାସୀଙ୍କ ଉପରେ ଦରଦାମ ବୋଝ ଲଦିଦେଉଛି ତାହା ଉପରେ ସଭିଁଙ୍କ ନଜର ।

ନଜର ପକାନ୍ତୁ