ମୋଦି ସରକାର ବିରୋଧରେ ବରୁଣଙ୍କ ପୁଣି ହଲ୍ଲାବୋଲ୍: ଉଠାଇଲେ ଚାକିରି ପ୍ରସଙ୍ଗ

1 min read

ନୂଆଦିଲ୍ଲୀ: ‘ସରକାରୀ ଚାକିରି ନାହିଁ । ତଥାପି କିଛି ସୁଯୋଗ ଆସିଲେ ପେପର ଲିକ୍, ପରୀକ୍ଷା ଯଦି ଦେଲ ବର୍ଷ ବର୍ଷ ଲାଗି ଯାଉଛି ରେଜଲ୍ଟ ଆସିବାକୁ । ଏହାପରେ କୌଣସି ଘୋଟାଲା ନାଁରେ ରଦ୍ଦ କରାଯାଉଛି । ରେଲଓ୍ବେ ଗ୍ରୁପ୍-ଡି ପରୀକ୍ଷା ଦେଇ ଦେଢ଼ ଲକ୍ଷ ଆଶାୟୀ ରେଜଲ୍ଟ ଆସିବାକୁ ଦୁଇ ବର୍ଷ ହେଲା ଅପେକ୍ଷା କରି ବସିଛନ୍ତି । ସେନାରେ ନିଯୁକ୍ତି ଅବସ୍ଥା ମଧ୍ୟ ସେମିତି । ଆଉ କେତେଦିନ ଭାରତୀୟ ଯୁବବର୍ଗ ଧର୍ଯ୍ୟ ଧରି ବସିବେ ।’ ଏମିତି ପ୍ରଶ୍ନ ଉଠାଇ ବିଜେପିକୁ ପ୍ରଶ୍ନ କରିଛନ୍ତି ନିଜ ଦଳର ବିଦ୍ରୋହୀ ସାଂସଦ ବରୁଣ ଗାନ୍ଧି । ଲଖିମପୁର ଖେରି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅଡୁଆରେ ପକାଉଥିବା ବରୁଣ ଚାକିରି ଓ ପେପର ଲିକକୁ ନେଇ ନିଜ ଦଳ ଉପରେ ଅଙ୍ଗୁଳି ଉଠାଇଛନ୍ତି ।

ଉତ୍ତରପ୍ରଦେଶରେ କିଛିଦିନ ପୂର୍ବେ ୟୁପିଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା । ଏହାକୁ ନେଇ ବରୁଣ ଟ୍ବିଟ୍ କରି କହିଥିଲେ, ‘ୟୁପିଟିଇଟି ପ୍ରଶ୍ନପତ୍ର ପ୍ରଘଟ ଲକ୍ଷ ଲକ୍ଷ ଯୁବବର୍ଗଙ୍କ ଭବିଷ୍ୟତ ସହ ଖଳ । ଛୋଟ ମାଛ (କନିଷ୍ଠ କର୍ମଚାରୀ)ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ କାମ ଚଳିବନାହିଁ । ସେମାନଙ୍କୁ ରାନୈତିକ ସୁରକ୍ଷା ଦେଉଥିବା ଶିକ୍ଷା ମାଫିଆଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । କାରଣ ଅଧିକାଂଶ ଶିକ୍ଷାନୁଷ୍ଠାନର ମାଲିକଙ୍କର ରାଜନୈତିକ ପ୍ରଭାବ ରହିଛି । ଏମାନଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ ?’

ଏହା ପୂର୍ବରୁ ଲଖିମପୁର ଖେରୀ ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ବରୁଣ । ଏଥିରେ ସେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ୩ କୃଷୀ ଆଇନ ପ୍ରତ୍ୟାହାରକୁ ସ୍ବାଗତ କରିବା ସହ ଏମଏସପି ଓ ଅନ୍ୟ ପ୍ରସଙ୍ଗରେ ଆଇନ ଆଣିବାକୁ ତୁରନ୍ତ ନିଷ୍ପତ୍ତି ନେଇ ଚାଷୀ ଆନ୍ଦୋଳନ ଶେଷ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଚିଠିରେ ଅନୁରୋଧ କରିଥିଲେ ।

Leave a Reply