କାର୍ଯ୍ୟକାରିଣୀରୁ ବିଦା ବରୁଣ-ମେନକା, ଇନ୍ ହେଲେ ସିନ୍ଧିଆ-ମିଥୁନ୍

ନୂଆଦିଲ୍ଲୀ: ବିଜେପି ଜାତୀୟ କାର୍ଯ୍ୟକାରିଣୀରୁ ବିଦାହେଲେ ବରୁଣ ଗାନ୍ଧୀ ଏବଂ ମେନକା ଗାନ୍ଧୀ । ଲେଖିପୁର ହିଂସାକୁ ନେଇ ସୋସିଆଲ ମିଡିଆରେ ଫଟୋ, ଭିଡିଓ ସେୟାର କରିଥିବା ଦଳୀୟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେପି । ଦଳର କାର୍ଯ୍ୟକାରିଣୀରୁ ବିଦା ହୋଇଛନ୍ତି ବରୁଣ ଗାନ୍ଧି ଓ ମାନେକା ଗାନ୍ଧି । ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ନିର୍ବାଚନ ଥିବା ବେଳେ ଏହା ପୂର୍ବରୁ କାର୍ଯ୍ୟକାରିଣୀ ପରିବର୍ତ୍ତନ କରିଛି ବିଜେପି ।

ଦଳ ପକ୍ଷରୁ ନୂତନ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୮୦ ଜଣିଆ କାର୍ଯ୍ୟକାରିଣୀ ସଦସ୍ୟ ଘୋଷଣା କରିଛନ୍ତି । ନିକଟରେ ଅନ୍ୟ ଦଳଛାଡ଼ି ବିଜେପିରେ ସାମିଲ ହୋଇଥିବା ନେତାଙ୍କ ମଧ୍ୟରୁ ୧୦ଜଣଙ୍କୁ କାର୍ଯ୍ୟକାରିଣୀରେ ସ୍ଥାନ ମିଳିଛି । ମଧ୍ୟପ୍ରଦେଶ କଂଗ୍ରେସ ଛାଡ଼ି ବିଜେପିକୁ ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଏସପି ଛାଡ଼ିଥିବା ସ୍ବାମୀପ୍ରସାଦ ମୌର୍ଯ୍ୟ,ବ୍ରୁଜେଶ ପାଠକ, ଦାରାସିଂ ଚୌହାନ ପ୍ରମୁଖଙ୍କୁ କାର୍ଯ୍ୟକରିଣୀରେ ସାମିଲ କରାଯାଇଛି ।

ସେହିପରି ଦଳ ପକ୍ଷରୁ ମିଥୁନ ଚକ୍ରବର୍ତ୍ତୀଙ୍କୁ ମଧ୍ୟ କାର୍ଯ୍ୟକାରିଣୀରେ ସାମିଲ କରିଛି ଦଳ  ।  ଗୋଟେପଟେ ଦଳବଦଳ କରିଥିବା ନେତାଙ୍କୁ ପ୍ରାଥମିକତା ଦିଆଯାଇଥିବା ବେଳେ ଦଳର ଦୁଇ ପୁରୁଖା ନେତା ମାନେକା ଗାନ୍ଧି, ତାଙ୍କ ପୁଅ ବରୁଣ ଗାନ୍ଧିଙ୍କୁ କାର୍ଯ୍ୟକାରିଣୀରୁ ବିଦା କରାଯାଇଛି । ଆଗାମୀ ଦିନରେ ୟୁପି ବିଧାନସଭା ନିର୍ବାଚନ ଥିବାବେଳେ ବରୁଣ ଗାନ୍ଧି ଏବଂ ତାଙ୍କ ମାଆ ମେନକା ଗାନ୍ଧୀଙ୍କୁ କାର୍ଯ୍ୟକାରିଣୀରୁ ହଟାଇବା କିଛି ଭିନ୍ନ ସନ୍ଦେଶ ଦେଉଥିବା ରାଜନୈତିକ ଶିବିରରେ ଚର୍ଚ୍ଚା ହେଉଛି  ।

Leave a Reply