ଆସୁଛି ଦୁର୍ଗାପୂଜା: ମାଆଙ୍କ ମୂର୍ତ୍ତି ତିଆରି ପାଇଁ ଭୁବନେଶ୍ବରର ବିଭିନ୍ନ ପୂଜା କମିଟି ଉଠିଲେ ମାଟି

ଭୁବନେଶ୍ବର: ଆସୁଛି ଦୁର୍ଗାପୂଜା । ଏଥିପାଇଁ ମଣ୍ଡପ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ମୃଣ୍ମୟୀ ମୂର୍ତ୍ତି ପାଇଁ ଆଜି ଜନ୍ମାଷ୍ଟମୀ ଅବସରରେ ପ୍ରଥମ ପର୍ଯ୍ଯାୟ ମାଟି ଉଠାଣ କରିଛନ୍ତି କର୍ମକର୍ତ୍ତା । ମୃତ୍ତିକା ଅନୁକୂଳ ପାଇଁ କୁଆଖାଇ ନଦୀ ପଠାରେ ଭିଡ଼ ଦେଖିବାକୁ ମିଳିଥିଲା । ପାରମ୍ପରିକ ବାଦ୍ୟ ସହ ବିଭିନ୍ନ ପୂଜା କମିଟିର ସଦସ୍ୟ ନଈ କୂଳରେ ପହଞ୍ଚି ମୃର୍ତ୍ତିକା ପୂଜା କରିଥିଲେ । ନୟାପଲ୍ଲୀ, ସହିଦ ନଗର, ଚନ୍ଦ୍ରଶେଖରପୁର ଭଳି ପୂଜା କମିଟିମାନେ ନଦୀ ପଠାରୁ ମାଟି ଉଠାଇଛନ୍ତି ।

ମନ୍ତ୍ର ଧ୍ବନୀରେ କମ୍ପିଲା ନଦୀପଠା । ଜନ୍ମାଷ୍ଟମୀ ଅବସରରେ ମାଆ ଦୁର୍ଗାଙ୍କ ମାଟି ଅନୁକୂଳ ହୋଇଛି । ଢୋଲ, ମହୁରୀ, ବାଜା, ଘଣ୍ଟ ଘଣ୍ଟରେ ନଈକୂଳରେ ହେଲା ମାଟି ଉଠାଣ । ବୈଦିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ପାଇଁ ମାଟି ସଂଗ୍ରହ କରାଯାଇଛି । ରାଜଧାନୀର ବିଭିନ୍ନ ଦୁର୍ଗାପୂଜା ସମିତି ପକ୍ଷରୁ କୁଆଖାଇ ନଦୀ ପଠାରେ ମାଟି ଅନୁକୂଳ ଉତ୍ସବ କରାଯାଇଥିଲା । ସମିତିର କର୍ମକର୍ତ୍ତାମାନେ ପଟୁଆରରେ କୂଆଖାଇ ନଦୀ ପଠାକୁ ଯାଇ ପୂଜାର୍ଚ୍ଚନା ପରେ ମାଟି ଉଠାଇଛନ୍ତି ।

ମାଟି ଅନୁକୁଳ ପରେ ଆରମ୍ଭ ହେବ ମୂର୍ତ୍ତି ନିର୍ମାଣ । ଜନ୍ମାଷ୍ଟମୀରେ ମାଆ ଦୁର୍ଗା ବିଜୁଳି କନ୍ୟା ରୂପରେ ଆବିର୍ଭାବ ହୋଇଥିଲେ । ଏହାକୁ ବିଶ୍ବାସ କରି ମାଆ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ତିଆରି ପାଇଁ ମାଟି ଅନୁକୂଳ କରିବାର ପରମ୍ପରା ରହିଛି । ଦୀର୍ଘ ଏକବର୍ଷ ପରେ ମାଆ ଧରାପୃଷ୍ଠକୁ ଅବତରଣ କରିବେ । ପାର୍ବଣକୁ ନେଇ ସଭିଙ୍କ ମନରେ ଖୁସି ଓ ଆନନ୍ଦ । ପରିବେଶକୁ ବଞ୍ଚାଇବାକୁ ହେଲେ ସମସ୍ତ ପୂଜା କମିଟି ବୃକ୍ଷରୋପଣ କରିବା ସହିତ ପ୍ଳାଷ୍ଚିକ ଫ୍ରି ପୂଜା କରିବାକୁ ମତ ରଖିଛନ୍ତି ।

ଇକୋ ଫ୍ରେଣ୍ଡଲି ପୂଜା କରିବା ସହ ମୁଣ୍ମୟୀ ମୂର୍ତ୍ତିରେ କେମିକାଲ ରଙ୍ଗ ବ୍ୟବହାର ନ କରିବାକୁ ପୂଜା ମଣ୍ଡପଗୁଡିକୁ ପରାମର୍ଶ ଦେଇଛି ଭସାଣ କମିଟି । ପ୍ରଶାସନର ନୀତିନୀୟମକୁ ପାଳନ କରି ଶାନ୍ତି ଶୃଙ୍ଖଳାର ସହ ପୂଜା କରିବାକୁ ଆହ୍ବାନ ଦିଆଯାଇଛି ।