ଆତଙ୍କବାଦୀ ଆକ୍ରମଣ ଘଟଣାରେ ଉଦବେଗ ପ୍ରକାଶ କଲେ ବିଭିନ୍ନ ରାଷ୍ଟ୍ର

ଜାମ୍ମୁ କାଶ୍ମୀର: ଆତଙ୍କୀ ହମଲା ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ସେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଛନ୍ତି। ଭାରତକୁ ଆବଶ୍ୟକ ସହାୟତା ଯୋଗାଇବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ବି ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି।
ସାଉଦିଆରବ କ୍ରାଉନପ୍ରିନ୍ସ ମହମ୍ମଦ ବିନ ସଲମାନ ହିଂସାକୁ ତୀବ୍ର ନିନ୍ଦାକରିଛନ୍ତି। ଏହି ବିପଦ କାଳରେ ଭାରତ ସହ ସାଉଦିଆରବ ଠିଆ ହେବ ବୋଲି ସେ କହିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ହମଲାକୁ ଅତି କୁତ୍ସିତ ବୋଲି ଦର୍ଶାଇବା ସହ ଅପରାଧୀଙ୍କୁ କଠୋର ଦଣ୍ଡ ମିଳିବା ଦରକାର ବୋଲି କହିଛନ୍ତି। ସେ ଭାରତ ସହ ଏହି ଘଡ଼ିସନ୍ଧି ମୂହୂର୍ତ୍ତରେ ଠିଆ ହେବେ ବୋଲି କହିଛନ୍ତି। ଏନେଇ ସେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖିଛନ୍ତି।
ସେହିପରି ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ବି ଏହି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟାର୍ମର, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ପ୍ରମୁଖ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଇରାନ, ୟୁଏଇ, ଶ୍ରୀଲଙ୍କା, ଫ୍ରାନ୍ସ, ଜର୍ମାନୀ, ୟୁକ୍ରେନ ପକ୍ଷରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି।