ସୋସିଆଲ ମିଡିଆରେ ଭାଇରାଲ ହେଉଛି ପୋଲିସର ‘ରେଟ୍‌ ଚାର୍ଟ’

ବାରାଣାସୀ: କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶର ଚନ୍ଦୌଲିର କୋତୱାଲି ଥାନାର ‘ରେଟ୍ ଚାର୍ଟ’ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭାଇରାଲ ହୋଇଥିବା ଏହି ରେଟ୍‌ ଚାର୍ଟରେ ଭାଙ୍ଗ ଦୋକାନ ଠାରୁ ଆରମ୍ଭ କରି ମଦ, ଗଞ୍ଜେଇ ଭଳି ବେଆଇନ ବ୍ୟବସାୟକୁ ଅଣଦେଖା କରିବା ପୋଲିସର ସ୍ୱତନ୍ତ୍ର ଦର ଲେଖାଯାଇଥିଲା । ଏହି ତାଲିକାକୁ କୋତୱାଲି ପୋଲିସ୍ ଷ୍ଟେସନ୍‌ର ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଥିଲେ । ଏହି ଦର ଅନୁସାରେ ପୋଲିସ ବଟି ଆଦାୟ କରୁଥିଲା ବୋଲି ଲୋକ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଥାରଧିକାରୀ କୋତଓ୍ୱାଲ ଶିବାନନ୍ଦଙ୍କୁ ନିଲମ୍ବନ କରାଯାଇଥିଲା । ନିଲମ୍ବନ ପରେ ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କୋତଓ୍ୱାଲି ଥାନା କଥା ଲୋକଙ୍କ ମନରୁ ନଲିଭୁଣୁ, ଏବେ ସେହିଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ବାରାଣାସୀ ଅଞ୍ଚଳର ଏକ ଥାନାର ସେହିଭଳି ଏକ ଲିଷ୍ଟ ଭାଇରାଲ ହୋଇଛି । ଏହି ଲିଷ୍ଟରେ ମଧ୍ୟ ମଦ, ଗଞ୍ଜେଇ ଭଳି ବେଆଇନ କାରବାରକୁ ପୋଲିସ ଅଣଦେଖା କରିବା ପାଇଁ ନିଜର ଦର ତାଲିକା ପ୍ରସ୍ତୁତ କରିଛି । ଏଥିରେ ୧୦୦୦ ଟଙ୍କାରୁ ଆରମ୍ଭ କରି ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ର ପାଇଁ ପୋଲିସର ଦର ତାଲିକା ରହିଛି । ଏହି ଲିଷ୍ଟ ଚିତ୍‌‌ପୁର ଥାନା ଅଧିନରେ, ବିଭିନ୍ନ ବେଆଇନ୍‌ ବ୍ୟବସାୟ କରୁଥିବା ଦୋକାନ ଗୁଡ଼ିକର ବୋଲି ଜଣାପଡ଼ିଛି ।

ତାଲିକାଟି ଭାଇରାଲ ହେବା ପରେ ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଛି । ସମସ୍ତେ ଏହି ତାଲିକାକୁ ନେଇ ଚର୍ଚ୍ଚା କରୁଛନ୍ତି । ଏଭଳି ପରିସ୍ଥିତିରେ ବାରାଣାସୀ ଏସଏସପି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରେଖି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏସଏସପି ଅମିତ ପଠକ କହିଛନ୍ତି ଯେ ଲିଷ୍ଟ ହସ୍ତଗତ ହୋଇଛି । ତେଣୁ ଏନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply