ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ଦାବି , କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ପରିବହନ ମନ୍ତ୍ରୀ

1 min read

ଭୁବନେଶ୍ବର : ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ କରିବାକୁ ଦାବି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ପୁରୀ-ହାୱଡ଼ା, ପୁରୀ-ରାୟପୁର ଭାୟା ରାଉରକେଲା ସମ୍ବଲପୁର ଓ ଭୁବନେଶ୍ବର-ହାଇଦ୍ରାବାଦରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଲାଇବାକୁ ଦାବି କରିଛନ୍ତି ।  ଭାରତର ବିକାଶ ଇଞ୍ଜିନରେ ମହତ୍ବପୂର୍ଣ୍ଣ ଯୋଗଦାନ ଦେଇଛି ଓଡ଼ିଶା ।

ରାଷ୍ଟ୍ରର ପୂର୍ବ ପ୍ରବେଶ ଦ୍ବାର ଭାବେ ଉଭା ହୋଇଛି । ୨ଦଶନ୍ଧୀ ଧରି ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ସହ ଉଚ୍ଚତମ ନିବେଶକୁ ଆକର୍ଷିତ କରିଛି ରାଜ୍ୟ । ହେଲେ ବାରମ୍ବାର ରାଜ୍ୟରେ ରେଳ ନେଟୱର୍କର ସଂପ୍ରସାରଣ ନେଇ ଦାବି କରାଯାଉଛି । ଏହାଦ୍ବାରା ଦେଶର ଅର୍ଥନୀତିକୁ ଓଡ଼ିଶା ଅଧିକ ଯୋଗଦାନ କରିପାରିବ । କିନ୍ତୁ କେନ୍ଦ୍ର ଏଥିପ୍ରତି ଗୁରୁତ୍ବ ଦେଇନାହିଁ । ତେବେ କେନ୍ଦ୍ର ସରକାର ଓଡ଼ିଶାକୁ ବାଦ୍ ଦେଇ ଅନ୍ୟ ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାରେ ରେଳ ଯୋଗାଯୋଗର ବ୍ୟବସ୍ଥାର ଉନ୍ନତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟର ୩ଟି ରୁଟ୍‌ରେ ଏହି ସୁପରଫାଷ୍ଟ ଏକ୍ସପ୍ରେସ ଚଳାଇବାକୁ ଦାବି କରିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ । ଓଡ଼ିଶାବାସୀଙ୍କ ଆକାଂକ୍ଷା ପୂରା କରିବାକୁ ଏବଂ ରାଜ୍ୟବାସୀଙ୍କୁ ଦ୍ରୁତ ଯୋଗାଯୋଗର ବିକଳ୍ପ ଦେବାକୁ ପୁରୀରୁ ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଚଲାଇବାକୁ ଦାବି କରିଛନ୍ତି ।

ପଶ୍ଚିମ ଓଡ଼ିଶାକୁ ଖୁବ୍ କମ୍ ଦ୍ରୁତ ଟ୍ରେନ୍ ଯାତାୟତ କରୁଛି । ତେଣୁ ପୁରୀ-ରାୟପୁର ଭାୟା ରାଉରକେଲା ସମ୍ବଲପୁର ବନ୍ଦେ ଭାରତ ଏକ୍ସପ୍ରେସ୍ ପାଇଁ ଦାବି କରିଛନ୍ତି । ଯାହା ରାଜ୍ୟର ରାଜଧାନୀକୁ ପଶ୍ଚିମ ଓଡ଼ିଶାର ଅଧିକଂଶ ଜିଲ୍ଲା ସହ ଯୋଡିପାରିବ । ଏହାଦ୍ବାରା ରାଜ୍ୟ ଭିତରେ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ମିଳିବା ସହ ଭୁବନେଶ୍ବର ବିମାନବନ୍ଦର ସହ ଝାରସୁଗୁଡ଼ା, ରାଉରକେଲା ବିମାନବନ୍ଦର ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ହେବ । ଓଡ଼ିଶାର ବହୁଭାଗ ଲୋକ ହାଇଦ୍ରାବାଦରେ ରହୁଛନ୍ତି । ତେଣୁ ଭୁବନେଶ୍ବରରୁ ହାଇଦ୍ରାବାଦକୁ ବନ୍ଦେ ଭାରତ ଏକ୍ସପ୍ରେସ ଚଲାଇବାକୁ ଦାବି କରିଛନ୍ତି । ଏହି ୩ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲିଲେ ଯାତ୍ରୀଙ୍କୁ ଶୀଘ୍ର ଓ ଦ୍ରୁତଗାମୀ ଟ୍ରେନ୍ ଯାତ୍ରାର ସୁବିଧା ମିଳିବ । ଏହାସହ ଉପକୃତ ହେବେ ପର୍ଯ୍ୟଟକ ଓ ବ୍ୟବସାୟୀ ।