ବାଂଲାଦେଶରେ ଦୁର୍ଗା ପେଣ୍ଡାଲ ଉପରେ ଆକ୍ରମଣ, ମୌଳବାଦୀ ଭାଙ୍ଗିଲେ ମୁର୍ତ୍ତି

କୋଲକତା : ବାଂଲାଦେଶରେ ମହାଷ୍ଟମୀ ଅବସରରେ ମହାମାୟଙ୍କ ମୁର୍ତ୍ତି ସହ ପେଣ୍ଡାଲ ଭଙ୍ଗିଲେ ଚରମପନ୍ଥି। ଯାହାକୁ ନେଇ ଭାରତରେ ସୃଷ୍ଟି ହୋଇଛି ହଇଚଇ। ବାଂଲାଦେଶ ଇତିହାସରେ ଏମିତି ଘଟଣା ହୁଏତ ପ୍ରଥମ ହୋଇପାରେ, ହେଲେ ଭାରତରେ ପଡ଼ିଛି ଜୋରଦାର ଇଫେକ୍ଟ। କଥା ଯାଇ ପଡ଼ିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାନରେ।

ବାଂଲାଦେଶରେ ଘଟି ଯାଇଥିବା ଏମିତି ଉଦବେଗଜନକ ଘଟଣାକୁ ନେଇ ବିଶେଷ କରି ପଶ୍ଚିମବଙ୍ଗରେ ଉଠିଛି ପ୍ରତିବାଦର ସ୍ବର। ଟିଏମସି ପରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି।

ସେ ତାଙ୍କ ଚିଠିରେ ଲେଖିଛନ୍ତି, ‘‘ଚରମପନ୍ଥି ଶକ୍ତି ବାଂଲାଦେଶରେ ସନାତନ ଧର୍ମାଲମ୍ବୀଙ୍କ ଉପରେ ଆକ୍ରମଣ କରିବାରେ ଅଭ୍ୟସ୍ତ ହୋଇଗଲେଣି। ଦୁର୍ଗା ପୂଜା ଶୋଭାଯାତ୍ରା ସମୟରେ ଉଗ୍ରବାଦୀ ମାଆଙ୍କ  ପ୍ରତିମା ସହ ପେଣ୍ଡାଲକୁ ବି ଭାଙ୍ଗିଛନ୍ତି।’’

ସେ ଚିଠିରେ ଆହୁରି ଉଲ୍ଲେଖ କରିଛନ୍ତି, ‘‘ସନାତନ ଧର୍ମର ବହୁ ଲୋକ ଏମିତି ଆକ୍ରମଣର ଶିକାର ହୋଇ ପଶ୍ଚିମବଙ୍ଗକୁ ପଳାଇ ଆସିଛନ୍ତି। ଏହି ପୀଡ଼ିତମାନେ ସେଠାରେ ରହୁଥିବା ସଂଖ୍ୟାଲଘୁଙ୍କୁ ସହାଯ୍ୟ କରିବାକୁ ଅନୁରୋଧ କରୁଛନ୍ତି। ମୋର ଅନୁରୋଧ ଆପଣ ତୁରନ୍ତ ଏହା ଉପରେ ଆବଶ୍ୟକ ପଦକ୍ଷେପ ନିଅନ୍ତୁ।’’

ଅନ୍ୟପକ୍ଷରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ‘‘ବାଂଲାଦେଶ ଘଟଣା ଉପରେ ନଜର ରଖାଯାଇଛି। ସ୍ଥାନୀୟ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆମେ ବାଂଲାଦେଶ ସରକାରଙ୍କ ସମ୍ପର୍କରେ ଅଛୁ।’’

Leave a Reply